ବାରଘରର କରୁଣ କାହାଣୀ । ୭ ଘଂଟାର ସଂଘର୍ଷ ପରେ ଗ୍ରାଉଣ୍ଡ ଜିରୋରେ ପହଂଚିଲା କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହେଲା ହୃଦୟବିଦାରକ ଚିତ୍ର

53

କନକ ବ୍ୟୁରୋ: ତିତଲି ପ୍ରଭାବରେ ଲାଗି ରହିଥିବା ବର୍ଷା ଯୋଗୁଁ ପାହାଡ ଧସି ଗଜପତିରେ ୧୨ ଜଣ ଜୀବନ ଯାଇଛି । ଗଙ୍ଗାବାଡ ପଂଚାୟତ ବାରଘର ଗାଁ ଅଂଚଳରେ ଏହି ଅଘଟଣ ଘଟିଛି । ତିତଲି ବର୍ଷାରୁ ରକ୍ଷା ପାଇବା ପାଇଁ ୫ଟି ପରିବାରର ୧୬ଜଣ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ପାହାଡ ଧସି ଯାଇଛି । ଆଉ ସେହି ପାହାଡ ତଳେ ଚାପି ହୋଇଯାଇଛନ୍ତି ଗୁମ୍ଫାରେ ଆଶ୍ରୟ ନେଇଥିବା ଲୋକ । ସେପଟେ ଘଟଣାସ୍ଥଳକୁ ଗଜପତି ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଯାଇଛନ୍ତି । ସେହି ଟିମ୍ ଫେରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

ତିତଲି ଚାଲି ଯାଇଛି ସତ ହେଲେ ତା ପ୍ରଭାବରେ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଲୋକଙ୍କ ପାଇଁ କାଳ ହୋଇଛି । ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲ୍ଲା ବାରଘରରେ ବଡ ଧରଣର ଅଘଟଣ ଘଟିଛି । ପାହାଡ ଧସି ୫ ଜଣ ଶିଶୁଙ୍କ ସମେତ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ପ୍ରବଳ ପବନ ଓ ବର୍ଷାରେ ଘରଦ୍ୱାର ଭାଙ୍ଗି ଯିବା ପରେ ଗୁମ୍ଫାରେ ଆଶ୍ରୟ ନେଇଥିବା ଜୀବନ ପାହାଡ ତଳେ ଚାପି ହୋଇଯାଇଛି । ପାହାଡ ଧସି ଘଟଣାର ତଦନ୍ତ ପରେ କ୍ଷତିପୂରଣ ଦିଆଯିବା ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଏସଆରସି ।

ବାତ୍ୟା ତିତଲି ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ପରେ ଗଜପତିରେ ବ୍ୟାପକ କ୍ଷୟକ୍ଷତି କରିଛି । ଗଜପତିରୁ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ । ପବନରେ ରାସ୍ତା ଉପରେ ଶୋଇଛି ବଡବଡ ଗଛ । ଯାହାକୁ ଆତିକ୍ରମ କରି ପ୍ରଭାବିତଙ୍କ ପାଖରେ ପହଂଚିବା ପାଇଁ ନାକେଦମ୍ ହୋଇଛନ୍ତି ଉଦ୍ଧାରକାରୀ ଦଳ । ପ୍ରଭାବତି ଅଚଂଳକୁ ଯିବା ବେଳେ ରାସ୍ତାରେ ପଡିଥିବା ଗଛକୁ ପାୱାର କଟର ସାହାଯ୍ୟରେ କାଟି ଆଗକୁ ବଢିଥିଲେ ସ୍ଥାନୀୟ ପୁଲିସ, ଅଗ୍ନିଶମ, ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ । ସେମାନଙ୍କ ସହ ଆମ ଟିମ୍ ମଧ୍ୟ ଆଗକୁ ବଢିଥିଲେ ।

 

ଗଜପତି ଜିଲ୍ଲାର ପ୍ରଭାବିତ ଅଂଚଳର ଲୋକଙ୍କ ପାଖରେ ପଂଚିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କେତେକ ଦୁର୍ଗମ ଅଂଚଳରେ ପ୍ରଶାସନିକ ଅଧିକାରୀ ପହଂଚି ନଥିଲେ ସୁଦ୍ଧା ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।