ରତ୍ନଭଣ୍ଡାର ଚାବିର ଗୁମର ଖୋଲିଲେ ଗଜପତି ! କହିଲେ, ମୋ ପାଖରେ ଚାବି ନାହିଁ, ୧୯୬୦ ମସିହା ପରଠାରୁ ଚାବି ରଖିବା ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱ

33

କନକ ବ୍ୟୁରୋ : ମୋ ପାଖରେ ଭିତର ଭଣ୍ଡାର ଚାବି ନାହିଁ । ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ । ଚାବି, ଗଜପତିଙ୍କ ପାଖରେ ରହେ ନାହିଁ ବୋଲି ସୂଚନା ଦେଇଛନ୍ତି ଗଜପତିଙ୍କ କାର୍ଯ୍ୟାଳୟ ।

ଶ୍ରୀ ଜଗନ୍ନାଥ ଟେମ୍ପଲ ରୁଲ୍ ୧୯୬୦ ଅନୁସାରେ ଶ୍ରୀମନ୍ଦିରର ସମସ୍ତ ପ୍ରଶାସନିକ ଦାୟିତ୍ୱ ଓଡିଶା ସରକାର ଓ ତାଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କର ବୋଲି ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଏହି ରୁଲ୍ ପରଠାରୁ ମନ୍ଦିର ପରିଚାଳନାରେ ଗଜପତିଙ୍କର କୌଣସି ଦାୟିତ୍ୱ ନାହିଁ ଏବଂ ଗଜପତି କେବଳ ପ୍ରଭୁଙ୍କ ଆଦ୍ୟ ସେବକ ଓ ପରିଚାଳନା କମିଟିର ଅଧ୍ୟକ୍ଷ ବୋଲି ଉଲ୍ଲେଖ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ୧୯୬୦ ନିୟମ ଅନୁଯାୟୀ ରତ୍ନ ଭଣ୍ଡାରରେ ତାଲା ପଡିବା ପରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ସେହି ଚାବିକୁ ସରକାରୀ ଟ୍ରେଜେରୀରେ ଦାଖଲ କରିବାର ନିର୍ଦ୍ଦେଶ ଅଛି ।

ଅନ୍ୟପଟେ ପୂର୍ବରୁ ଗଣମାଧ୍ୟମ ଆଗରେ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର ରତ୍ନଭଣ୍ଡାରର ଚାବି ରଖିବା ଗଜପତିଙ୍କ ଦାୟିତ୍ୱ ବୋଲି କହିଥିଲେ । ଏହାକୁ ନେଇ ଗଜପତିଙ୍କ ପକ୍ଷରୁ ଜବାବ ରଖାଯାଇଛି । ଶ୍ରୀ ଜଗନ୍ନାଥ ଟେମ୍ପଲ ରୁଲ୍ ୧୯୬୦ ଅନୁସାରେ ରତ୍ନଭଣ୍ଡାର ବନ୍ଦ ହେବା ପରେ ଚାବି ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ସରକାରୀ ଟ୍ରେଜେରୀରେ ଦାଖଲ କରିବାର ନିୟମ ରହିଛି ଏବଂ ଏହାର ରକ୍ଷଣା ବେକ୍ଷଣ ରାଜ୍ୟ ସରକାରଙ୍କ ବୋଲି ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗଜପତି ମହାରାଜ ଜଗନ୍ନାଥ ମହାପ୍ରଭୁଙ୍କର ଆଦ୍ୟ ସେବକ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଅଟନ୍ତି । ତାଙ୍କ ସମ୍ବନ୍ଧରେ କୌଣସି ମତାମତ ବାସ୍ତବତା ଆଧାରରେ ହେବା ନିନ୍ଦନୀୟ ।

ବିଗତ ଏକମାସ ହେବ ଗଜପତି ମହାରାଜ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟରେ ଆମେରିକା ଗସ୍ତରେ ଅଛନ୍ତି । ଭିତର ରତ୍ନ ଭଣ୍ଡାର ଚାବି ନ ମିଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ମତପ୍ରକାଶ କରଛନ୍ତି ଗଜପତି । ପୂର୍ବରୁ ଏପ୍ରିଲ ୪ ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ମତ ପ୍ରକାଶ କରିଥିଲେ । ଗଜପତିଙ୍କ ବିଶ୍ୱାସ ଯେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ସମ୍ବେଦନଶୀଳ ବିଷୟରେ ଯଥା ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ଯାହାଦ୍ୱାରା ଘଟଣାର ପୁନରାବୃତି ଭବିଷ୍ୟତରେ ନ ହୋଇ ରତ୍ନ ଭଣ୍ଡାରରେ ଥିବା ଅମୂଲ୍ୟ ରତ୍ନ ସୁରକ୍ଷିତ ରହିବ ବୋଲି ଆଶା ପ୍ରକଟ କରଛନ୍ତି ଗଜପତି ମହାରାଜ ।