ଶ୍ରୀମନ୍ଦିର ନୀତି ବନ୍ଦକୁ ନେଇ ମୁହଁ ଖୋଲିଲେ ଗଜପତି ! କହିଲେ ସରକାର କରନ୍ତୁ ହସ୍ତକ୍ଷେପ ।

235

ପୁରୀରେ ସେବାୟତ-ପୋଲିସ ମୁହାଁମୁହିଁ ଘଟଣାକୁ ନେଇ ଏ ଯାଏଁ ଖୋଲିନି ଶ୍ରୀମନ୍ଦିର । ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ରହିଛନ୍ତି ଓପାସ । ଅଚଳାବସ୍ଥା ଦୂର ପାଇଁ ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଏନେଇ ଗଜପତି ମହାରାଜା ନିଜର ମତ ପ୍ରକାଶ କରି କହିଛନ୍ତି ଅଗଣିତ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ôଚତ କରାନଯାଉ । ଶ୍ରୀମନ୍ଦିରର ମହାନ୍ ପରମ୍ପରାରେ କଳଙ୍କ ନ ଲାଗୁ । ମହାପ୍ରଭୁଙ୍କ ସେବା ଠାରୁ ଆଉ କୌଣସି ପ୍ରସଙ୍ଗ ବଡ ନୁହେଁ । ଏହି ପ୍ରସଙ୍ଗରେ ସରକାର ହସ୍ତକ୍ଷେପ କରନ୍ତୁ । ମହାପ୍ରଭୁଙ୍କ ନୀତି ଯଥାଶୀଘ୍ର ଆରମ୍ଭ କରିବା ପାଇଁ ଆହ୍ୱାନ୍ ଦେଇଛନ୍ତି ଗଜପତି ମହାରାଜା ।

 

ଅନ୍ୟପଟେ ଶ୍ରୀଜିଉଙ୍କୁ ଦର୍ଶନ ନକରି ଶହ ଶହ ଭକ୍ତ ଫେରିବାକୁ ବାଧ୍ୟ ହେଉଛନ୍ତି କିନ୍ତୁ ଜିଦରେ ଅଟଳ ରହିଛନ୍ତି ସେବାୟତ । ଶ୍ରୀମନ୍ଦିରର ଭିତର ଦ୍ୱାର ଖୋଲିନଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରି ବ୍ୟାରିକେଡ ଭାଙ୍ଗି ଧସେଇ ପଶିଛନ୍ତି । ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ସେବାୟତ ନିଜ ବିବେକ ଅନୁସାରେ କାମ କରନ୍ତୁ । ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ । ସେହି ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । ସୂଚନା ଅନୁସାରେ ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ ।

ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ଯାତ୍ରୀଙ୍କ ସପକ୍ଷରେ ଯୁକ୍ତିବାଢି ସେବାୟତ କହିଥିଲେ ସେ ବିଦେଶୀ ନୁହନ୍ତି ବଙ୍ଗାଳି ଭାଷାରେ କଥା ହେଉଛନ୍ତି । ତେବେ ସଂପୃକ୍ତ ଶ୍ରଦ୍ଧାଳୁ ପରିଚୟ ପତ୍ର ଦେଇନପାରିବାରୁ ମନ୍ଦିର ଭିତରକୁ ଛାଡିନଥିଲା ପୁଲିସ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।