ପୁରୀ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ। ରାଜନଅରରେ ୧୬ଶାସନ ବ୍ରହ୍ଣଣ ଓ ୩୨ କରବାଡ ପ୍ରତିନିଧିଙ୍କ ଆଶୀର୍ବାଦ ପ୍ରଦାନ । ବହୁ ସାଧୁସନ୍ଥଙ୍କ ସମାଗମ

ମାଘ ମାସ ପୁଷ୍ୟା ନକ୍ଷତ୍ରରେ ପାଳିତ ହୋଇଛି ଉତ୍ସବ

335

କନକ ବ୍ୟୁରୋ: ପୁରୀରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ହୋଇଛି । ପୁଷ୍ୟାଭିଷେକ ନୀତି ପାଇଁ ଶ୍ରୀନଅର ବାଦ୍ୟ ଓ ମନ୍ତ୍ର ଧ୍ୱନିରେ ପୁରିଉଠିଥିଲା । ରାଜଗୁରୁ ଅଭିଷେକ କରାଇ ମଙ୍ଗଳାର୍ପଣ ନୀତି ସଂପନ୍ନ କରିଥିଲେ । ଏହି ସମୟରେ ଗଜପତିଙ୍କ ସମେତ ମହାରାଣୀ ଉପସ୍ଥିତ ଥିଲେ ।  ପ୍ରଥମେ ରାଜଗୁରୁମାନେ ବରୁଣ ଓ ବର୍ଦ୍ଧନୀ ପୂଜା କରିଥିଲେ । ଗଜପତି ମହାରାଜ ଓ ମହାରାଣୀ ଆସ୍ଥାନ ଗ୍ରହଣ କରିଥିଲେ ।

ଏହି ଉପଲକ୍ଷେ ଶ୍ରୀନଅରରେ ବରୁଣ ପୂଜା, ବର୍ଦ୍ଧନୀକଳସ ପୂଜା, ରାମାଭିଷେକ, ପଞ୍ଚଦେବତା, ମହାପ୍ରଭୁଙ୍କ ପୂଜା ଶାସ୍ତ୍ରୀୟ ଉପଚାରରେ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀ ପାଟ୍ଟମହାଦେବୀ ପୂଜାସ୍ଥଳୀକୁ ବିଜେ କରିଥିଲେ। ପ୍ରଥମେ ମଙ୍ଗଳାର୍ପଣ ନୀତି ସଂପାଦନ କରାଯାଇଥିଲା। ରାଜଗୁରୁଆଣୀ ପ୍ରଜ୍ଞାପରମିତା ରାଜଗୁରୁ ମହାରାଜ ଓ ମହାରାଣୀଙ୍କୁ ବନ୍ଦାପନ କରିଥିଲେ।

ବନ୍ଦାପନା ପରେ ମହାପ୍ରଭୁଙ୍କ ପାଖରୁ ଆସିଥିବା ସ୍ୱତନ୍ତ୍ର ତାଟ ଭୋଗ ଗଜପତି ମହାରାଜ ସେବନ କରି ଗାଦିକୁ ବିଜେ କରିଥିଲେ। ଏହାପରେ ୧୬ ଶାସନ ବ୍ରାହ୍ମଣମାନେ ସୁତା ଓ ବିଭିନ୍ନ ଧାତୁର ପଇତା, ଶ୍ରୀଫଳ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜଗୁରୁଙ୍କୁ ପ୍ରଦାନ କରିଥିଲେ। ରାଜଗୁରୁ ଏହାକୁ ଗଜପତିଙ୍କ ମସ୍ତକରେ ଛୁଆଁଇବା ପରେ ପରେ ୧୬ ଶାସନର ବ୍ରହ୍ମଣମାନେ ଗଜପତି ମହାରାଜଙ୍କୁ ଆଶୀର୍ବାଦ କରିଥିଲେ।