ପୁରୀ ହିଂସାକାଣ୍ଡ ମାମଲାରେ ମୁହଁ ଖୋଲିଲେ ଗଜପତି ମହାରାଜ । କହିଲେ, ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଦୋଷୀ ବିରୋଧରେ ହେଉ ଦଣ୍ଡବିଧାନ

50

କନକ ବ୍ୟୁରୋ: ଧାଡି ଦର୍ଶନ ନେଇ ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣା ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ମହାରାଜ । ଏହି ଘଟଣାକୁ ସେ ଦୁଃଖଦ ଓ ଦୁର୍ଭାଗ୍ୟଜନକ କହିଛନ୍ତି । ସେ ଆଶା କରିଛନ୍ତି, ସରକାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ । ବାସ୍ତବିକ ଯିଏ ଦୋଷୀ ଉପଯୁକ୍ତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ । ଏହାର ପୁନରାବୃତି ଯେମିତି ନ ହେବ, ସମସ୍ତେ ଯତ୍ନବାନ ହେବା ଉଚିତ । ସମସ୍ତେ ଶାନ୍ତି ବଜାୟ ରଖିବାକୁ ଗଜପତି ନିବେଦନ କରିଛନ୍ତି ।

ଅନ୍ୟପକ୍ଷରେ, ପୁରୀ ହିଂସାକାଣ୍ଡ ଘଟଣାରେ ଗିରଫଦାରୀକୁ ନିନ୍ଦା କରିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଶାନ୍ତି କମିଟି ନାଁରେ ଲୋକଙ୍କୁ ଡାକି ଗିରଫ କରିବା ଉଚିତ୍ ନୁହେଁ । ଯଦି କିଏ ଅପରାଧ କରିଛି ଓ ପୋଲିସ ପାଖରେ ପ୍ରମାଣ ଅଛି ତେବେ ସମ୍ପୃକ୍ତି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ରହିଛି ।

bijay mohaptra

ପୁରୀ ହିଂସାକାଣ୍ଡ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଜଗନ୍ନାଥ ମନ୍ଦିର ବର୍ତମାନ ସଂକଟରେ । ଜଗନ୍ନାଥ ମନ୍ଦିର ବିରୋଧରେ ବାହାରୁ ଷଡଯନ୍ତ୍ର ହେଉଛି । ତାକୁ ସରକାର ଅନୁସନ୍ଧାନ କରିବା କଥଶ । ପବିତ୍ର ବଡଦାଣ୍ଡ ରକ୍ତର ଦାଣ୍ଡ ପାଲଟିଲା । ସମସ୍ତେ ନିରବ ଦ୍ରଷ୍ଟା ରହିଲେ । ଏକପାଖିଆ ନିଷ୍ପତି ଫଳରେ ଏ ଘଟଣା ଘଟିଲା । ପୁରୀ ମନ୍ଦିରକୁ ସରକାର ଗୁରୁତର ସହ ନେଉନାହାଁନ୍ତି ।

ସେପଟେ,ପୁରୀ ଗଣ୍ଡଗୋଳକୁ ନେଇ ଗିରଫଦାରୀକୁ ନିନ୍ଦା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ବାଛି ବାଛି କଂଗ୍ରେସ ଲୋକଙ୍କୁ ଗିରଫ କରୁଛି ପୋଲିସ୍ । ଆକ୍ରୋଶମୂଳକ ଭାବେ ଗିରଫ କରୁଛି ସରକାର । ଜଗନ୍ନାଥଙ୍କୁ ଚରମ ଅବହେଳା କରିଛନ୍ତି ସରକାର । ଧାଡି ଦର୍ଶନ ଠିକ୍ ସେ ହୋଇପାରିବ କି ନାହିଁ ସେ ନେଇ ସରକାର ପୂର୍ବରୁ ସୁଚିନ୍ତିତ ନିଷ୍ପତି ନେବା କଥା । ମନ୍ଦିରକୁ ଯିବା ପାଇଁ ପୁରୀ ଲୋକ ଭୋଟର ପରିଚୟ ପତ୍ର ଧରି ଯିବା କଥା ହାସ୍ୟାସ୍ପଦ ।