ଖୁରୁଧା ରଣଭୂଇଁରେ ପୁରୀର ଗଜପତି । ନିର୍ବାଚନରେ ବିଜୟ ଟିକା ପିନ୍ଧିଥିଲେ ମହାରାଜା ବୀରକିଶୋର ଦେବ । 

135

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ‘‘ଟପ୍ ଟପ୍ ଘୋଡ଼ା ଚାଲେ, ଭରା ଦି’ପହର ଖରାବେଳେଟ୍ଟଅକ୍ଷୟ ମହାନ୍ତିଙ୍କର ‘କାଞ୍ଚି ଅଭିଯାନ’ ଗାଥାସଂଗୀତର ଧୂନ୍ ଏବେ ବି ଗୁଞ୍ଜରିଉଠେ କୋଟି ଓଡ଼ିଆଙ୍କ ପ୍ରାଣରେ । ପାଇକ ବୀରମାନଙ୍କୁ ସାଥିରେ ନେଇ ଗଙ୍ଗାରୁ ଗୋଦାବରୀ ଜୟ କରିଥିବା ଗଜପତି ରାଜାଙ୍କ କଥା ମନରେ ଆସେ । ତେବେ ଖୁରୁଧାଗଡ଼ରେ ନିଜେ ଗଜପତି ରାଜା ଯେ ନିର୍ବାଚନ ରଣଭୂଇଁରେ ଅବତୀର୍ଣ୍ଣ ହୋଇଥିଲେ ଏକଥା ହଠାତ୍ ବିଶ୍ୱାସ କରିହୁଏ ନାହିଁ । କିନ୍ତୁ କଥାଟି ସତ । ପୁରୀର ଗଜପତି ରାଜା ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅବତୀର୍ଣ୍ଣ ହୋଇଥିଲେ । ସେ ଲଢ଼ୁଥିଲେ ‘ଜନ କଂଗ୍ରେସ’ ଦଳର ଟିକେଟରେ ଏବଂ ତାଙ୍କୁ ସମ୍ମୁଖ ଯୁଦ୍ଧରେ ଟକ୍କର ଦେଉଥିଲେ କଂଗ୍ରେସ ଦଳର ନେତା ଡାକ୍ତର ବେଣୁଧର ବଳୀୟାରସିଂହ ୧୯୬୭ ବିଧାନସଭା ନିର୍ବାଚନରେ ।

ବର୍ତ୍ତମାନ ରାଜଗାଦିରେ ଅଭିଷିକ୍ତ ଥିବା ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ (୪ର୍ଥ)ଙ୍କ ବାପା ଗଜପତି ବୀରକିଶୋର ଦେବ(୩ୟ)ଙ୍କର ଅଭିଷେକ ପୂର୍ବର ନାମ ଥିଲା ଜେନାମଣି ନୀଳକଣ୍ଠ ଦେବ । ତାଙ୍କର ଜନ୍ମ ହୋଇଥିଲା ୧୯୨୯ ମସିହା ଜୁଲାଇ ୨ ତାରିଖରେ । ବୀରକିଶୋର ଦେବ ଥିଲେ ଜଣେ ବହୁମୁଖୀ ପ୍ରତିଭା । ସେ ଥିଲେ ଜଣେ ସଫଳ କ୍ରୀଡ଼ାବିତ୍ । ରାୟପୁର ରାଜକୁମାର କଲେଜରେ ପଢୁଥିବା ସମୟରେ ସେ ଲଗାତାର ଦୁଇବର୍ଷ ଧରି ୧୯୪୫ ଓ ୧୯୪୬ରେ ଆଥଲେଟିକ୍ସର ଅଲରାଉଣ୍ଡ ଚମ୍ପିଆନ ଥିଲେ । ୧୯୪୭-୪୮ରେ ସେ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ରାଜ୍ୟର ପ୍ରତିନିଧିତ୍ଵ ମଧ୍ୟ କରିଛନ୍ତି । ସେ କଲିକତାର ପ୍ରଖ୍ୟାତ ‘ମହମ୍ମଡାନ ସ୍ପୋର୍ଟିଂ କ୍ଲବ୍’ ଦଳରେ ଫୁଟବଲ ଖେଳୁଥିଲେ ।

ତାଙ୍କ ନେତୃତ୍ଵରେ ପୁରୀରେ ଏକ ଫୁଟବଲ ଟିମ୍ ଗଠିତ ହୋଇ ସେତେବେଳେ ବେଶ୍ ନାଁ କରିଥିଲା । ସେ ଥିଲେ ଅଶ୍ୱଚାଳନାରେ ପାରଦର୍ଶୀ । କଲିକତା ଟର୍ଫ କ୍ଲବରେ ଆୟୋଜିତ ହେଉଥିବା ଅଶ୍ୱଚାଳନା ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରୁଥିଲେ ଏବଂ ଟେନିସ୍ ମଧ୍ୟ ଖେଳୁଥିଲେ । ତା ଛଡ଼ା ସେ ଥିଲେ ଜଣେ ଚିତ୍ରଶିଳ୍ପୀ ଓ ସଂଗୀତ ପ୍ରେମୀ । ୧୯୫୭ ମସିହାରେ ତାଙ୍କର ପିତା ଗଜପତି ରାମଚନ୍ଦ୍ର ଦେବ(୪ର୍ଥ)ଙ୍କ ମୃତ୍ୟୁପରେ ୨୮ ବର୍ଷ ବୟସରେ ସେ ପୁରୀର ରାଜଗାଦିରେ ଅଭିଷିକ୍ତ ହୋଇ ଗଜପତି ବୀରକିଶୋର ଦେବ ନାମ ଧାରଣ କରିଥିଲେ ।

ତେବେ ରାଜଗାଦିରେ ଅଭିଷିକ୍ତ ହେବାର ମାତ୍ର ଦଶବର୍ଷ ପରେ ୧୯୬୭ରେ ସେ ନିର୍ବାଚନ ରାଜନୀତିକୁ ଓହ୍ଲାଇଥିଲେ । ସେତେବେଳକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ କଂଗ୍ରେସରୁ ବାହାରି ଆସି ନିଜର ‘ଜନ କଂଗ୍ରେସ’ ଦଳ ଗଢ଼ିଥାନ୍ତି ଓ ସାରା ରାଜ୍ୟରେ ନିଜର ପ୍ରାର୍ଥୀ ଦେଇଥାନ୍ତି । ସେହି ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ ମହାରାଜା ବୀରକିଶୋର ଦେବ । ୧୯୬୧ ନିର୍ବାଚନରେ ତାଙ୍କ ଭାଇ ଥାଟରାଜା ରାଜରାଜ ଦେବ ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ‘ଗଣତନ୍ତ୍ର ପରିଷଦ’ ଟିକେଟରେ ବିଜୟୀ ହୋଇଥିଲେ । ତାଙ୍କ ଭିଣୋଇ କଳାହାଣ୍ଡିର ମହାରାଜା ପ୍ରତାପ କେଶରୀ ଦେଓ ମଧ୍ୟ ଦୀର୍ଘଦିନ ଧରି ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟି ତରଫରୁ କଳାହାଣ୍ଡିର ପ୍ରତିନିଧିତ୍ଵ କରିଥିଲେ ।

ତେବେ ନିର୍ବାଚନ ଯୁଦ୍ଧ ପ୍ରଥମକରି ଲଢ଼ୁଥିବା ଗଜପତି ବୀରକିଶୋର ଦେବ ଖୋର୍ଦ୍ଧା ଭୂଇଁରେ ବହୁଭୋଟରେ ବିଜୟୀ ହୋଇଥିଲେ । ମୋଟ ୩୨,୯୯୬ଟି ବୈଧ ଭୋଟ ମଧ୍ୟରୁ ବେଣୁଧର ବଳୀୟାରସିଂହ ୮,୯୨୬ ଭୋଟ ପାଇଥିଲାବେଳେ ଗଜପତି ୧୬,୩୦୩ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ୪୯ଟି ଆସନ ପାଇଥିବା ସ୍ୱତନ୍ତ୍ର ପାର୍ଟି ଓ ୨୬ଟି ଆସନ ପାଇଥିବା ଜନକଂଗ୍ରେସ ଦଳ ମିଶି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ସରକାର ଗଠନ କରିଥିଲେ । ଗଜପତି ମହାରାଜା ବୀରକିଶୋର ଦେବ ଏହି ସରକାରର କାର୍ଯ୍ୟକାଳ ମଧ୍ୟରେ ୧୯୭୦ ମସିହାରେ ମାତ୍ର ୪୧ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ । ରାଜନୀତି କ୍ଷେତ୍ରରେ ବହୁ ଆଗକୁ ଯିବାର ସାମର୍ଥ୍ୟ ରଖିଥିଲେ ମଧ୍ୟ ତାଙ୍କର ସଂକ୍ଷିପ୍ତ ଜୀବନକାଳ ତାଙ୍କୁ ସେଥିପାଇଁ ସୁଯୋଗ ଦେଇନଥିଲା । ଖୁରୁଧା ନିର୍ବାଚନ ରଣଭୂଇଁରେ ବିଜୟ ବୈଜୟନ୍ତ ଉଡ଼ାଇ ବିଧାନସଭାକୁ ଆସିଥିବା ଠାକୁରରାଜା ମାତ୍ର ତିନିବର୍ଷ ବିଧାନସଭାରେ ସରକାରୀ ପକ୍ଷରେ ବସିବା ପରେ ନିତ୍ୟଧାମକୁ ବାହୁଡ଼ିଯାଇଥିଲେ ।