ଗଜପତି ବାରଘରରେ ପାହାଡ ଧସିବା ଘଟଣା: ମୃତକଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା, ସୂଚନା ଦେଲେ ଏସଆରସି ବିଷ୍ଣୁପଦ ସେଠୀ

29

କନକ ବ୍ୟୁରୋ: ଗଜପତି ଗଙ୍ଗବାଡ ପଂଚାୟତର ବାରଘରରେ ପଥର ଧସି ମୃତ୍ୟୁ ହୋଇଥିବା ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ । ଏସଆରସି ବିଷ୍ଣୁପଦ ସେଠୀ ଏନେଇ ସୂଚନା ଦେଇଛନ୍ତି ।କ୍ଷତିଗ୍ରସ୍ତ ଅଂଚଳରେ ୭୫ଟି ପରିବାର ବାସ କରୁଥିଲେ । ବାତ୍ୟା ପୂର୍ବଦିନ ସରକାରୀ ଅଧିକାରୀ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲେ । ୬୮ ଟି ପରିବାରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ୭ଟି ପରିବାର ସ୍ଥାନାନ୍ତର ହେବାକୁ ରାଜି ନଥିଲେ । ସେହି ୭ ପରିବାରର ସଦସ୍ୟଙ୍କ ହିଁ ମୃତ୍ୟୁ ହୋଇଛି । ସେହି ୭ ପରିବାରକୁ କ୍ଷତିପୂରଣ ମିଳିବ ।

ଏଯାଏ ୧୬ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତଦେହ ମିଳିଛି । ଏବେ ବି ୩ ଜଣ ନିଖୋଜ ଅଛନ୍ତି । କିନ୍ତୁ ମୃତଦେହ ଗୁଡିକୁ ଚିହ୍ନଟ କରାଯାଇପାରୁନାହିଁ । ଶବ ବ୍ୟବଚ୍ଚେଦ ରିପୋର୍ଟକୁ ଅପକ୍ଷୋ କରାଯାଇଛି । ନିଖୋଜଙ୍କୁ ଖୋଜିବା ପାଇଁ ପ୍ରଶାସନର ଉଦ୍ୟମ ଜାରି ରହିଛି । ବର୍ଷା ବିତ୍ପତିରୁ ରକ୍ଷା ପାଇବା ପାଇଁ ମହେନ୍ଦ୍ରଗିରି ପାହାଡ଼ ପାଦ ଦେଶରେ ରହୁଥିବା ୫ ପରିବାରର ପ୍ରାୟ ୧୬ ଜଣ ଲୋକ ପାହାଡ଼ ଉପରେ ଥିବା ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ ।

ହେଲେ ହଠାତ୍ ପାହାଡ଼ ଧସିବା ଆରମ୍ଭ କରିଥିଲା । ଚାହୁଁ ଚାହୁଁ ଲୋକଙ୍କ ଉପରେ ଓଜାଡି ହୋଇଗଲା ପାହାଡ଼ । ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି ଓ ୩ ଜଣଙ୍କ ପତା ମିଳୁନାହିଁ । ବର୍ଷା ପାଣିର ସୁଅ ଏତେ ପ୍ରଖର ଥିଲା ଯେ ବିଛାଡି ହୋଇ ପଡିଥିଲା ମୃତଦେହ । ମୁଣ୍ଡ ଗୁଜିବାକୁ ଛାତ ନାହିଁ, ଯେଉଁ ପାହାଡ଼କୁ ଭରସା କରି ଜିଇଁଥିଲେ, ଶେଷରେ ସେହି ପାହାଡ଼ ନେଇଯାଇଛି ଲୋକଙ୍କ ଜୀବନ ।