ରାତି ପାହିଲେ ଦେବ ସ୍ନାନ ପୂର୍ଣ୍ଣିମା! ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ନୀତି, ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

55

କନକ ବ୍ୟୁରୋ: ରାତି ପାହିଲେ ମହାପ୍ରଭୁଙ୍କ ମହାସ୍ନାନ ନୀତି । ଏଥିପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଆଜି ଦଇତାପତି ସେବାୟତଙ୍କ ଦ୍ୱାରା ଚାଲମାଳ ବନ୍ଧା ଯାଇଥିବା ବେଳେ ସେନାପଟା ଲାଗି ନୀତି କରାଯାଇଛି । ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ମହାସ୍ନାନ ନୀତି କରାଯାଏ । ଏହି ଦିନ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି । ଏହି ହାତୀବେଶ ସେବା ଯୋଗାଇଥାନ୍ତି ପୁରୀର ଗୋପାଳତୀର୍ଥ ମଠ ଓ ରାଘବଦାସ ମଠ । ସେପଟେ ଶ୍ରୀଜିଉଙ୍କ ମହାସ୍ନାନ ପରେ ପ୍ରଭୁଙ୍କ ଜ୍ୱର ହୋଇଥାଏ । ଏଥିପାଇଁ ତିନି ଠାକୁର ଅଣସର ଘରେ ରହିଥାନ୍ତି । ଏହି ସମୟରେ ରତ୍ନବେଦୀରେ ପୂଜା ପାଆନ୍ତି ପଟି ଦିଅଁ ।

ଜ୍ୟେଷ୍ଠମାସ ପୁଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ମହାସ୍ନାନ ପରେ ହାତୀବେଶ ବା ଗଜାନନ ବେଶ କରାଯାଏ । ପୁରୀର ଗୋପାଳତୀର୍ଥ ମଠ ଓ ରାଘବଦାସ ମଠ ପକ୍ଷରୁ ହାତୀବେଶ ସେବା ଯୋଗାଇ ଦିଆଯାଏ । ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସ୍ନାନପୁଣ୍ଣିମାରେ ଶେଷ ହୁଏ। ହାତୀବେଶ ପାଇଁ ମୁଖ୍ୟତଃ କଦଳୀ ଗଛର ପଟୁଆ, କଇଥ ଅଠା, ସୋଲ, ଜରି, କପଡା, ଲେସ ଆଦିକୁ ନେଇ ସାମଗ୍ରୀ ପ୍ରସ୍ତୁତ କରାଯାଏ । ପରମ୍ପରା ଆଧାରରେ ରାଘବଦାସ ମଠରୁ ମହାପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ବେଶ ସାରଂଜାମ ଆସୁଥିବା ବେଳେ ଗୋପାଳତୀର୍ଥ ମଠରୁ ବଳଭଦ୍ରଙ୍କର ଆସିଥାଏ ।

ଅନ୍ୟପଟେ, ଶ୍ରୀଜିଉଙ୍କ ଅଣସର ସମୟରେ ରତ୍ନ ସିହାଂସନରେ ପୂଜା ପାଇବେ ପଟି ଦିଅଁ । ପୁରୀର ଚିତ୍ରକାର ସାହିରେ ଅନନ୍ତ ବାସୁଦେବ ଓ ମା ଭୁବନେଶ୍ୱରୀଙ୍କ ପଟି ଦିଅଁ ତିଆରି ହେଉଥିବା ବେଳେ ପଣାପିଡିଆ ସାହିରେ ଅନନ୍ତ ନାରାୟଣଙ୍କ ପଟି ତିଆରି ହୁଏ । ଏହି ପଟି ଦିଅଁଙ୍କର ଆକାର ୪ ଫୁଟ ଚଉଡା ଓ ସାଢ଼େ ୫ ଫୁଟ ଉଚ୍ଚତା ରହିଥାଏ । ଶ୍ରୀଜିଉଙ୍କ ଅଣସର ପରେ ଏହି ପଟି ଦିଅଁ ଗୁଡିକୁ ବିସର୍ଜନ କରାଯାଏ । ତେବେ ଶ୍ରୀଜିଉ ଭକ୍ତକୁ ସବୁବେଳେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି । ସେହିଭଳି ମହାପ୍ରଭୁ ୧୪ ଦିନ ଧରି ଅଣସରରେ ରହିବା ସମୟରେ ବ୍ରହ୍ନଗିରିର ଅଲାରନାଥଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।