ମହାସ୍ନାନ କଲେ ଶ୍ରୀଜୀଉ ! ଶେଷ ହେଲା ଘୋଷଯାତ୍ରାର ଆଦ୍ୟପର୍ବ

68

କନକ ବ୍ୟୁରୋ : ମହାପ୍ରଭୁଙ୍କ ମହାସ୍ନାନ । ଭାଇ ଭଉଣୀଙ୍କ ସହ ରତ୍ନବେଦିରୁ ଓହ୍ଲାଇ ଆସି ଆଜି ସ୍ନାନବେଦୀରେ ବିଜେ କରିଥିଲେ ଜଗତର ନାଥ । ୧୦୮ଗରା ଜଳରେ ହୋଇଥିଲା ଜଳାଭିଷେକ । ଏହାପରେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜୀଉ । ଅତ୍ୟଧିକ ସ୍ନାନ ଯୋଗୁଁ ଜରରେ ପୀଡିତ ୪ ଠାକୁରଙ୍କ ଆରୋଗ୍ୟ ଲାଗି ଅଣସର ଘରେ ୧୪ ଦିନ ଧରି ଚାଲିବ ଗୁପ୍ତ ସେବା । ଭାବର ଠାକୁର ଜଗନ୍ନାଥଙ୍କ ଏହି ମହାମାନବୀୟ ଲୀଳା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ରକୁ । ନଜର ପକାନ୍ତୁ ଧାଡି ପହଣ୍ଡି ଠାରୁ ଗୁପ୍ତ ସେବା ପର୍ଯ୍ୟନ୍ତ କିପରି ଓ କେତେବେଳେ ଚାଲିଥିଲା ଜଗନ୍ନାଥଙ୍କ ଏହି ମହାମାନବୀୟ ଲୀଳା !

ଧାଡି ପହଣ୍ଡି
ରାତି ପାହିଲା ବେଳକୁ ହଜାର ହଜାର ଶ୍ରଦ୍ଧାଳୁ ପହଁଚି ଯାଇଥିଲେ ପୁରୀ । ଘଂଟ ଘଂଟା ଓ ହରିବୋଲି ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର । ଆଧ୍ୟାତ୍ମିକ ପରିବେଶରେ ପ୍ରତ୍ୟୁଷରୁ ଆରମ୍ଭ ହୋଇଥିଲା ୪ ଠାକୁରଙ୍କ ସ୍ନାନ ଯାତ୍ରାର ନୀତିରୀତି । ଧାଡି ପହଣ୍ଡିରେ ଶ୍ରୀଜୀଉମାନଙ୍କୁ ନିଆଯାଇଥିଲା ସ୍ନାନମଣ୍ଡପକୁ । ପହଣ୍ଡି ବିଜେ ସମୟରେ ସପ୍ତମ ପାହାଚରେ ଠାକୁରଙ୍କୁ ଲାଗି ହେଲା ଚୂଳ ଓ ଟାହିୟା । ରାଘବ ଦାସ ମଠରୁ ଆସିଥିବା ଟାହିୟା ଶୋଭିତ ଠାକୁରଙ୍କ ଅନୁପମ ରୂପ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଆଗ୍ରହ ।

ମହାସ୍ନାନ
ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନ ନୀତି । ପହଣ୍ଡି ବିଜେ ବେଳେ କ୍ଳାନ୍ତ ଓ ଘର୍ମାକ୍ତ ହୋଇଥିବା ବିଗ୍ରହଙ୍କ ପାଇଁ ଏକ ସ୍ୱତନ୍ତ୍ର ଧୋ’ ପଖାଳ ନୀତି ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ସ୍ନାନଲୀଳା ଉତ୍ସବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭ୍ରଦ, ଦେବୀ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଥିଲା । ଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା ।

ଛେରାପହଁରା
ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ପହଁଚିଥିଲେ ସ୍ନାନ ମଣ୍ଡପରେ । ବିଧି ଅନୁଯାୟୀ ଆରମ୍ଭ ହୋଇଥଲା ଛେରାପହରାଁ ।

ଗଜାନନ ବେଶ
ଛେରାପହଁରା ପରେ ଶ୍ରୀଜୀଉମାନେ ଧାରଣ କରିଥିଲେ ଗଜାନନ ବେଶ ବା ହାତୀ ବେଶ । ସ୍ନାନ ମଣ୍ଡପରେ ଜଳ ଲାଗି ସରିବା ପରେ ଲେଙ୍କା ଓ ପାଇକମାନେ ଗୋପାଳତୀର୍ଥ ମଠରୁ ଶ୍ରୀଜଗନ୍ନାଥଙ୍କ ପାଇଁ ହାତୀବେଶ ନିମନ୍ତେ ପୋଷାକ ଆଣିଥିଲେ । ସେହିପରି ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବେଶ ପାଇଁ ରାଘବଦାସ ମଠରୁ ଆସିଥିଲା ପୋଷାକ । ଏହି ବେଶକୁ ଦେଖିବାକୁ ପାଇଁ ଘଂଟା ଘଂଟା ଧରି ଚାହିଁ ବସିଥିଲେ ଶ୍ରଦ୍ଧାଳୁ । ଏହି ମନୋରମ ଦୃଶ୍ୟକୁ ବଡଦାଣ୍ଡରେ ଥିବା ହଜାର ହଜାର ଭକ୍ତ ଭାବବିହ୍ୱଳ ହୋଇ ଦର୍ଶନ କରିଥିଲେ ।

ଗୁପ୍ତ ସେବା
ହେଲେ ସ୍ନାନ ଯାତ୍ରା ପରେ ଆଉ ରତ୍ନ ବେଦୀକୁ ଫେରନ୍ତି ନାହିଁ ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପଡିଥାନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିନ୍ତି ମହାପ୍ରଭୁ । ସ୍ନାନଯାତ୍ରାର ୧୬ ଦିନ ପରେ ପଡେ ପବିତ୍ର ରଥଯାତ୍ରା । ଭକ୍ତଙ୍କୁ ଦେଖା ଦେବା ପାଇଁ ନିଜେ ଭଗବାନ ବାହାରକୁ ଆସିଥାନ୍ତି । ଜଗନ୍ନାଥ ସଂସ୍କୃତିରେ ବର୍ଣ୍ଣିତ ଭଗବାନଙ୍କ ଏହି ମାନବୀୟ ଲୀଳା ସମାନତାର ସଂଦେଶ ଦେଇଥାଏ ଜଗତକୁ ।