ବାଦ୍ ପଡିଲେ ବିଜେଡି ମନ୍ତ୍ରୀ ! ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାର ଉଦଘାଟନୀ କାର୍ଯ୍ୟକ୍ରମ ତାଲିକାରୁ କାଟି ଦିଆଗଲା ନାଁ

62

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରୁ ବାଦ ପଡିଲେ ଦୁଇ ବିଜେଡି ମନ୍ତ୍ରୀ । ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନାର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ନିମନ୍ତ୍ରଣ ପତ୍ରରେ ଥିଲା କଟକ, ଭୁବନେଶ୍ୱର ସାଂସଦ ଏବଂ ଓଡିଶା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ । କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଗେଲ ମଧ୍ୟ ଏ ସଂକ୍ରାନ୍ତରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଦେଇଥିଲା ଚିଠି ।

କିନ୍ତୁ ଆଜି ରାଜ୍ୟର ବିଭିନ୍ନ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ବିଜ୍ଞାପନରେ ବିଭାଗୀୟ ମନ୍ତ୍ରୀଙ୍କ ସହ ରହିଛି ଓଡିଶାର କେବଳ ଦୁଇ ସାଂସଦଙ୍କ ନାଁ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେଉଁ ପରିସ୍ଥିତିରେ ଓଡିଶା ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ନାଁ ଅତିଥୀ ତାଲିକାରୁ କାଟି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

ତେବେ ଦ୍ୱୈତ ନଗରୀର ପ୍ରାୟ ୫ ଲକ୍ଷ ପରିବାରକୁ ଜୋଡୁଥିବା ଏହି ଯୋଜନାରୁ ଫାଇଦା ନେବାକୁ ଜୋର ଧରିଛି ରାଜନୀତି । ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଇ ଓଡିଶାରେ ଭୋଟ ବ୍ୟାଙ୍କ ମଜଭୂତ କରିବାକୁ ଚାହୁଁଛି ବିଜେପି । ଆଉ ନିଜ ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କା କରି ବିଜେଡି ବି ଆଣିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଅସହିଷ୍ଣୁତା ଅଭିଯୋଗ । ଅଶୋକ ପଣ୍ଡାଙ୍କ ଏଭଳି ଅଭିଯୋଗ ପରେ ବିବାଦୀୟ ହୋଇଛି ପରିସ୍ଥିତି ।

ନବୀନ ସରକାରଙ୍କ ବିରୋଧରେ ସବୁବେଳେ ବିରୋଧୀ ଅଭିଯୋଗ କରନ୍ତି ଯେ, କେନ୍ଦ୍ରର କାର୍ଯ୍ୟକ୍ରମଗୁଡିକୁ ଏହି ସରକାର ନିଜ ସପକ୍ଷରେ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରନ୍ତି । ଏବଂ ଲୋକେ ଭାବନ୍ତି ଯେ, ସବୁ ଯୋଜନା ନବୀନଙ୍କର । ସେଥିପାଇଁ ଲୋକେ ଭୋଟ ବି ଅଜାଡି ଦିଅନ୍ତି । ଅନୁମାନ କରାଯାଉଛି ଯେ, ଧର୍ମେନ୍ଦ୍ର ବୋଧହୁଏ ନବୀନଙ୍କ ଏହି ରଣନୀତିକୁ ଭଲଭାବେ ବୁଝିପାରିଛନ୍ତି ।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀରେ ୫ ଲକ୍ଷ ଘରକୁ ହେବ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ । ତେଣୁ ଏତେ ସଂଖ୍ୟକ ଲୋକଙ୍କୁ ସିଧାସଳଖ ଜୋଡି ପାରୁଥିବା ଏହି ଯୋଜନା ଉପରେ ସବୁ ରାଜନୈତିକ ଦଳଙ୍କ ଆଖି ।