ମଝି ସମୁଦ୍ରରେ ଚାଲିଛି ମାଛ ସଉଦା : ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ କଟକଣା ସତ୍ୱେ ଚାଲିଛି ବେଆଇନ କାରବାର

44

କନକ ବ୍ୟୁରୋ :  ମଝି ଦରିଆରେ ହେଉଛି ମାଛ ସଉଦା । ବାଜି ଲାଗୁଛି ବିରଳ ଅଲିଭ ରିଡଲେ କଇଁଛଙ୍କ ଜୀବନ । ମାଛ ଧରା ଏବଂ ଟ୍ରଲର ଚଳାଚଳ ଉପରେ କଟକଣା ଥିବା ସତ୍ୱେ ଖୁଲମଖୁଲା ରାଜନଗର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଚାଲଛି ବେଆଇନ କାରବାର । ଆଉ ସବୁ ଜାଣି ଅଜଣା ପାଲଟିଛି ବନ ବିଭାଗ ।

ଯେଉଁଠି ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ରହିଛି, ଠିକ୍ ସେଇଠି ବସିଛି ମାଛ ବଜାର । ନିଷିିଦ୍ଧାଚଂଳରେ ହେଉଛି ଲକ୍ଷ ଲକ୍ଷ ଟଙ୍କାର ମାଛ କାରବାର । ସମୁଦ୍ରରୁ ମାଛ ଧରା ହେଉଛି ଏବଂ ସେହି ସମୁଦ୍ର ଭିତରେ ହିଁ କଣାବିକା ଚାଲିଛି । ସବୁଠାରୁ ବଡ କଥା ହେଉଛି, ଏହି ରାଜନଗର, ଗହୀରମଥା ଠାରେ ବର୍ଷ ତମାମ୍ ମାଛ ଧରା ଉପରେ କଟକଣା ରହିଛି । ଆଉ, ବିରଳ ଅଲିଭରିଡଲେଙ୍କ ପ୍ରଜନନ ଋତୁ ପାଇଁ ନଭେମ୍ବର ୧ରୁ ମେ ୩୧ ଯାଏଁ,ଏଠାରେ କୌଣସି ଟ୍ରଲର ଚଳାଚଳ ଉପରେ ବି ନିଷିଦ୍ଧାଦେଶ ରହିଛି । ହେଲେ ଯାହାର ଖୋଲାଖୋଲି ଉଲଂଘନ ହେଉଛି ।

ରାଜନଗର ସାମୁଦ୍ରିକ ଅଭୟାରଣ୍ୟ, ଏବେ ବିରଳ ଅଲିଭରିଡଲେ କଇଁଛଙ୍କ ପାଇଁ ଅଭୟାରଣ୍ୟ ହୋଇ ରହିନି । ବରଂ ବେଆଇନ ଭାବରେ ମାଛ ଧରୁଥିବା ମତ୍ସଜୀବୀ ଏବଂ ମାଛ ବ୍ୟବସାୟୀଙ୍କ ପାଇଁ ଅଭୟାରଣ୍ୟ ପାଲଟି ଯାଇଛି । ଅଭିଯୋଗ ହେଉଛି- ବନ ବିଭାଗର ଅଧିକାରୀମାନେ ଏମାନଙ୍କ ଠାରୁ କମିଶନ ନେଇ ମାଛ ମାରିବାକୁ ଅନୁମତି ଦେଉଛନ୍ତି ।

କଇଁଛଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବନ ବିଭାଗ ଏବଂ ତଟରକ୍ଷୀବାହିନୀ ପହରା ବି ଦେଉଛନ୍ତି । ଆଉ ଏସବୁ ଭିତରେ ବି ମାଛ ମାଫିଅମାନେ ଅନାୟାସରେ ଚଳାଇଛନ୍ତି ସେମାନଙ୍କ କାରବାର ।