ଜି.ଉଦୟଗିରିରେ କାହାର ଉଦୟ ହେବ ଭାଗ୍ୟ ? କଂଗ୍ରେସକୁ କଷଣ ଦେଉଛି ଗୋଷ୍ଠୀ କନ୍ଦଳ, ପ୍ରାର୍ଥୀ ଚୟନ ନେଇ ବିଜେଡି-ବିଜେପିର ଛକାପଞ୍ଝା ।

କିନ୍ତୁ ଏଥର ଉଭୟ ବିଜେଡି ଓ ବିଜେପି ଏହି ଆସନକୁ ନିଜ କବଜାକୁ ନେବା ପାଇଁ ସୁଯୋଗ ରହିଥିବା ଚର୍ଚ୍ଚା ହେଉଛି ।

109

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ୩ଟି ନିର୍ବାଚନମଣ୍ଡଳୀ ରହିଛି। ସେଗୁଡିକ ହେଲା ଫୁଲବାଣୀ, ଜି.ଉଦୟଗିରି ଓ ବାଲିଗୁଡ଼ା । ଏହି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ । କାରଣ ବିଜେଡିର ଜନ୍ମ ହେବା ଠାରୁ ଏହି ନିର୍ବାଚନ ମଣ୍ଡଳୀରେ ମାତ୍ର ଥରୁଟିଏ ଜିତିଛି । ଆଉ ୨୦୦୦ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ସମୟରେ ବିଜେଡିର ସାଲୁଗା ପ୍ରଧାନ ବିଜୟୀ ହୋଇଥିଲେ । ଏହା ପରଠାରୁ ହୋଇଥିବା ୩ଟି ନିର୍ବାଚନରେ ବିଜେଡି ଏଠାରେ ଧରାଶାୟୀ ହୋଇପଡ଼ିଛି । କିନ୍ତୁ ଏଥର ଉଭୟ ବିଜେଡି ଓ ବିଜେପି ଏହି ଆସନକୁ ନିଜ କବଜାକୁ ନେବା ପାଇଁ ସୁଯୋଗ ରହିଥିବା ଚର୍ଚ୍ଚା ହେଉଛି ।

ଗତ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଯାକବ ପ୍ରଧାନ ବିଜୟୀ ହୋଇଥିଲେ । କିନ୍ତୁ ଏହାପରେ ଅଭିଯୋଗ ହୋଇଥିଲା ଯେ ଛାମୁଆ କଂଗ୍ରେସ ନେତା ଓ କର୍ମୀଙ୍କ ସହିତ ସୁ-ସମ୍ପର୍କ ନାହିଁ । ଏପରିକି କୌଣସି କାମରେ ସେମାନଙ୍କ ସହଯୋଗ ଲୋଡିଲେ ନାହିଁ । ନିକଟରେ ରାଜ୍ୟ କଂଗ୍ରେସ ଭବନଠାରେ ସ୍କ୍ରିନିଂ କମିଟି ଆଗରେ ନିର୍ବାଚନମଣ୍ଡଳୀର ନଳୀୟ ନେତା ଓ କର୍ମୀମାନେ ଖୋଲାଖୋଲି ଭାବେ ବିଧାୟକ ଯାକବଙ୍କ ବିରୋଧରେ ନାରାବାଜି କରିବା ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି । ଯାକବଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ନ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ କଂଗ୍ରେସ କର୍ମୀ । ଯାକବଙ୍କୁ ଯଦି ଏଥର ଟିକେଟ୍ ନମିଳେ ତେବେ ଏଥର କଂଗ୍ରେସରୁ ଅନ୍ୟତମ ଦାବିଦାର ପ୍ରତାପ ପ୍ରଧାନ ଦୌଡରେ ଅଛନ୍ତି । ଏହାବାଦ୍ ୩ରୁ ୪ଜଣ ଆଶାୟୀ ମଧ୍ୟ କଂଗ୍ରେସ ଟିକେଟ୍ ପାଇବା ପାଇଁ ଲବି କରୁଥିବା ଶୁଣିବାକୁ ମିଳୁଛି ।

ସେପଟେ କଂଗ୍ରେସର ଅର୍ନ୍ତକନ୍ଦଳର ଫାଇଦା ଉଠାଇ ଏହି ଆସନକୁ କବଜା କରିବାକୁ ବିଜେଡି ଉଦ୍ୟମ ଚଳାଇଛି । ଏଥର ବିଜେଡିରୁ ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ରଦନ ମଲ୍ଲିକ ଆଶାୟୀ, ଜାଲିନା ପ୍ରିୟଦର୍ଶିନୀ ଥିବା ବେଳେ ଆଉ ୨ରୁ ୩ଜଣ ମଧ୍ୟରେ ବିଜେଡି ଟିକେଟ୍ ଲବିରେ ଥିବା ଚର୍ଚ୍ଚା ହେଉଛି । ଦୀର୍ଘ ଦିନ ଧରି କଂଗ୍ରେସ କବଜାରେ ଥିବା ଏହି ଆସନକୁ ଅକ୍ତିଆର କରିବାରେ ଦଳର ସୁପ୍ରିମୋ କାହାକୁ ଏବେ ଭରସା କରିବେ ତାହା ଉପରେ ମଧ୍ୟ ସଭିଏଁ ନଜର ରଖିଛନ୍ତି ।

ଏସବୁ ବାଦ୍ ଶାସକ ବିଜେଡି ଓ ଏହି ନିର୍ବାଚନ ମଣ୍ଡଳୀକୁ କବଜା କରିଥିବା କଂଗ୍ରେସକୁ ଧରାଶାୟୀ କରିବାକୁ ବିଜେପି ମଧ୍ୟ ଗୋଟି ଚାଳନା କରୁଛି । କିନ୍ତୁ ବିଜେପିକୁ ଅଡୁଆରେ ପାକାଉଛନ୍ତି ମାଳମାଳ ଆଶାୟୀ । ଚଳିତ ନିର୍ବାଚନରେ ବିଜେପିରୁ ପ୍ରାୟତଃ ୧୫ ଜଣ ଆଶାୟୀ ଦୌଡରେ ଅଛନ୍ତି । ଗତ ନିର୍ବାଚନରେ ହାରିଥିବା ମାନଗୋବିନ୍ଦ ପ୍ରଧାନ, ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ, ସଂଘମିତ୍ରା ପ୍ରଧାନ, ବସନ୍ତ କୁମାର ପ୍ରଧାନ, ଅବନେଶ୍ବର ପ୍ରଧାନ, ଜାଜୁ ପ୍ରଧାନ ଭଳି ପ୍ରମୁଖ ଆଶାୟୀ ତାଲିକାରେ ରହିଥିବା ଚର୍ଚ୍ଚା ହେଉଛି ।