ମହାକାଶକୁ ଜି-ସାଟ-୬ଏ ଉପଗ୍ରହ ପଠାଇଲା ଇସ୍ରୋ ! ଏଣିକି ଚୀନ ଓ ପାକିସ୍ତାନ ଉପରେ ଆକାଶରୁ ନଜର ରଖିବ ଭାରତ, ମୋବାଇଲର ବଢିବ ସାମର୍ଥ୍ୟ

163

କନକ ବ୍ୟୁରୋ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ଭାରତ । ଯୋଗାଯୋଗ ଉପଗ୍ରହ ଜି-ସାଟ୍-୬ଏକୁ କକ୍ଷପଥରେ ସଫଳତାର ଅବସ୍ଥାପିତ କରିଛି ଇସ୍ରୋ । ସେନାକୁ ସଶକ୍ତକରିବା ଦିଗରେ ଜି-ସାଟ୍ ଉପଯୋଗୀ ହେବା ବୋଲି ଆଶା ରଖିଛନ୍ତି ମହାକାଶବିଜ୍ଞାନୀ । ତେବେ ଆସନ୍ତା ୧୦ ବର୍ଷ ପାଇଁ ଏହି ଉପଗ୍ରହ ମୋବାଇଲ ସେବା ଯୋଗାଇବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବ ।

ମାର୍ଚ୍ଚ ୨୯ ତାରିଖ, ଅପରାହଣ ୪ଟା ୫୬ ମିନିଟ୍ । ଶ୍ରୀହରିକୋଟ୍ଟା ସତୀଶ ଧାୱନ୍ ସ୍ପେସ୍ ସେଣ୍ଟର । ହଠାତ୍ ଇତିହାସ ରଚିବାକୁ ଆକାଶର ଛାତି ଚିରି ମହାକାଶର କକ୍ଷପଥ ଆଡ଼କୁ ତୀବ୍ର ବେଗରେ ମାଡ଼ିଚାଲିଥିଲା ଇସ୍ରୋର ଜି-ସାଟ୍ ୬ଏ ଉପଗ୍ରହ, ସାରା ବିଶ୍ୱ ଭାରତର ଅନ୍ତରୀକ୍ଷ ଅଭିଯାନରେ ଆଉ ଏକ ସଫଳତାକୁ ଚାହିଁରହିଥିଲା । ସାପୁଆ କେଳା ଓ ସନ୍ୟାସୀଙ୍କ ଦେଶ କୁହାଯାଉଥିବା ଭାରତକୁ ମହାକାଶ ମହାଶକ୍ତିର ମାନ୍ୟତା ଦେବାକୁ ଏକପ୍ରକାର ବାଧ୍ୟ ହେଉଥିଲା ପୃଥିବୀ । ଜିଓ ସିଂକ୍ରୋନସ୍ ଲଂଚ୍ ଭେହିକିଲ୍ ବା ଜିଏସଏଲଭି ଦ୍ୱାରା ଏହାକୁ ପଠାଯାଇଥିବାବେଳେ ବିଶ୍ୱବ୍ୟାପୀ ଏହା ଆଲୋଚନାର ବିଷୟ ପାଲଟିଛି ।

୨୦୧୮ ମାର୍ଚ୍ଚ ୨୮ ତାରିଖ, ଦିନ ୧ଟା ୫୬ ମିନିଟ୍ । ଜି-ସାଟ୍ ପାଇଁ ଆରମ୍ଭ ହୁଏ କାଉଣ୍ଟ ଡାଉନ୍ । ଅବଗଣନା ଆରମ୍ଭହେବାପରେ ମହାକାଶ ବିଜ୍ଞାନୀ ଚୂଡ଼ାନ୍ତ ପ୍ରସ୍ତୁତିରେ ଲାଗିପଡ଼ନ୍ତି । ନିର୍ଦ୍ଧାରିତସମୟରେ ଏହାକୁ ପ୍ରେରଣକରି ଇତିହାସ ରଚେ ଇସ୍ରୋ । ତେବେ ଜି-ସାଟର ଏକାଧିକ ବୈଶିଷ୍ଠ୍ୟ ରହିଛି ଓ ବିଭିନ୍ନ କ୍ଷେତ୍ରରେ ଏହା ହେବ ବିଶେଷ ଉପଯୋଗୀ ।

୧. ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଏହା ଲାଭଦାୟକ ହେବ ।
୨. ମହାକାଶରୁ ସେନାକୁ ସାମରିକ ତଥ୍ୟ ଯୋଗାଇପାରିବ ଜି-ସାଟ୍ ।
୩. ସୀମାନ୍ତ ଅଂଚଳର ସ୍ପଷ୍ଟ ଚିତ୍ର ଜି-ସାଟ୍ ଦ୍ୱାରା ସହଜରେ ପାଇହେବ ।
୪. ପାଣିପାଗର ନିର୍ଭୁଲ୍ ସୂଚନା ଦେବାକୁ ଜି-ସାଟ୍ ସକ୍ଷମ ।
୫. ଚନ୍ଦ୍ର ଅଭିଯାନ ବେଳେ ଜି-ସାଟ୍ ଉପଗ୍ରହରୁ ମିଳିବ ସହାୟତା ।

ବର୍ତମାନ ପର୍ଯ୍ୟନ୍ତ ଇସ୍ରୋ ୬୫ ଥର ଲଂଚ୍ ମିଶନ୍ କରିସାରିଥିବା ବେଳେ ୨୩୭ଟି ବିଦେଶୀ ଉପଗ୍ରହକୁ ସଫଳତାର ସହ ପ୍ରେରଣ କରିସାରିଛି । ଏହି ତାଲିକାରେ ସାମିଲ୍ ହୋଇଛି ଜି-ସାଟ୍ ୬ଏ ଉପଗ୍ରହ । ଜାଣନ୍ତୁ କେଉଁ କାରଣରୁ ଜି-ସାଟ୍ ସ୍ୱତନ୍ତ୍ର ।

୧. ଦଶ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇବାକୁ ଏହା ସକ୍ଷମ ।
୨. ୨୭୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଛି ଜି-ସାଟ୍ ।
୩. ଏହାର ଓଜନ ୨୧୪୦ କିଲୋଗ୍ରାମ ଯାହା ୪ଟି ରେଳଇଂଜିନ୍ ସହ ସମାନ ।
୪. ସାଧାରଣଠାରୁ ୩ ଗୁଣା ବଡ଼ ଆଂଟିନା ଲାଗିଥିବାରୁ ଅଧିକ ଉପଯୋଗୀ ହେବ ।
୫. ମାତ୍ର ୧୭ ମିନିଟ୍ ମଧ୍ୟରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି ।
୬. ଜି-ସାଟରେ ଶକ୍ତିଶାଳୀ କ୍ରାୟୋଜେନିକ୍ ଇଂଜିନ୍ ଲାଗିଛି ।
୭. ଯେକୌଣସି ସ୍ଥାନରେ ଯୋଗାଯୋଗ ସ୍ଥାପନ ପାଇଁ ଜି-ସାଟ୍ ସକ୍ଷମ ।

ମହାକାଶରେ ଜାରିରହିଛି ଇସ୍ରୋର ଜୟଯାତ୍ରା । ଆଜି ଜି-ସାଟ୍ ୬ଏ ସଫଳତାର ସହ ପ୍ରେରଣକରି ପୁଣିଏକ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ମହାକାଶ ବିଜ୍ଞାନୀ । ଚନ୍ଦ୍ର ଅଭିଯାନ ପୂର୍ବରୁ ସଫଳତା ମିଳିଥିବାରୁ ମନୋବଳ ଦୃଢ଼ ହେବା କୁହାଯାଉଛି ।