ବନ୍ୟା ପରେ କେରଳକୁ ବଢ଼ିଲା ସହାୟତା ! ବନ୍ୟା ପୀଡିତଙ୍କ ପାଇଁ ଗୀତ ଗାଇ ଅର୍ଥ ସଂଗ୍ରହ କଲେ ସୁପ୍ରିମକୋର୍ଟ ବିଚାରପତି ।

40

କନକ ବ୍ୟୁରୋ : ବନ୍ୟା ପରେ ପୁଣି ଛିଡା ହେଉଛି କେରଳ । ସହାୟତାର ହାତ ବଢ଼ାଇଛନ୍ତି ସବୁ ବର୍ଗର ଲୋକ । ଏପରିକି ସହାୟତା ପାଇଁ ସୁପ୍ରିମକୋର୍ଟ ବିଚାରପତି ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମରେ ଗୀତ ଗାଇ ଅର୍ଥ ସଂଗ୍ରହ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଦେଶ ଗସ୍ତରୁ ଫେରି ସିଧାସଳଖ କେରଳ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।

କେରଳ ବନ୍ୟାରେ ପ୍ରଭାବିତଙ୍କୁ ଅର୍ଥ ସଂଗ୍ରହ ପାଇଁ ମଂଚ ଉପରେ ଗୀତ ଗାଇଛନ୍ତି ସୁପ୍ରିମକୋର୍ଟର ବିଚାରପତି କୁରିୟନ ଜୋସେଫ୍ । ଗାୟକ ମୋହିତ୍ ଚୌହାନଙ୍କ ସହ ଗୀତାରର ତାଳେ ତାଳେ ହମ ହୋଙ୍ଗେ କାମୟାବ ଏକ ଦିନ ଗୀତ ଗାଇଛନ୍ତି ଜଷ୍ଟିସ୍ ଜୋସେଫ୍  । କେରଳ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ସହାୟତା ଯୋଗାଇବା ପାଇଁ ସାମ୍ବାଦିକଙ୍କ ଦ୍ୱାରା ଆୟୋଜିତ ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମରେ ଗୀତ ଗାଇଛନ୍ତି ଜୋସେଫ୍ । ଯାହା ଭାରତ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।

କେରଳର ବନ୍ୟା ପ୍ରଭାବିତଙ୍କୁ ସବୁବର୍ଗର ଲୋକ ସହାୟତାର ହାତ ବଢ଼ାଇଛନ୍ତି  । ୧୪ଦିନ ଭିତରେ କେରଳକୁ ୭୧୩କୋଟି ୯୨ଲକ୍ଷ ଟଙ୍କାର ସହାୟତା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ପ୍ରାୟ ୩ଲକ୍ଷ ୯୧ହଜାର ଲୋକ ୭୧୩କୋଟି ୯୨ଲକ୍ଷ ଟଙ୍କା ଜମା କରିଛନ୍ତି । ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୧୩୨କୋଟି ୭୨ଲକ୍ଷ ଟଙ୍କା, ପେଟିଏମ ଓ ବିଭିନ୍ନ ଅନଲାଇନ ମାଧ୍ୟମରେ ୪୩କୋଟି ଟଙ୍କା ଆସିଛି  । ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ଷ୍ଟେଟ ବ୍ୟାଙ୍କ ଖାତାରେ ଜମା ହୋଇଛି ପ୍ରାୟ ୫୧୮କୋଟି ୨୪ଲକ୍ଷ ଟଙ୍କା । କେବଳ ସୋମବାର ଦିନ ୫କୋଟି ୬୦ଲକ୍ଷ ଟଙ୍କା ଜମା ହୋଇଛି । ଚେକ୍, ଡ୍ରାଫ୍ଟ ଓ ନଗଦ ବାବଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୨୦କୋଟି ଟଙ୍କାର ବନ୍ୟା ସହାୟତା ମିଳିଛି । କେରଳର ପୁନରୁଦ୍ଧାର ପାଇଁ ଏହି ଅର୍ଥରାଶି ଜରୁରି ବୋଲି କହିଛନ୍ତି ଅର୍ଥନୀତିଜ୍ଞ ।

ସେପଟେ କେରଳ ବନ୍ୟା ପରେ ପ୍ରଭାବିତଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିଭିନ୍ନ ରିଲିଫ କ୍ୟାମ୍ପ ଯାଇ ବନ୍ୟା ପୀଡିତଙ୍କ ସହ ଅ।।ଲୋଚନା କରି ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି  । ଏହା ସହ କେରଳ ବନ୍ୟାର ସୁପର ହିରୋ ସାଜିଥିବା ମତ୍ସ୍ୟଜୀବିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଶଂସା କରି କହିଛନ୍ତି ୩ହଜାର ମତ୍ସ୍ୟଜୀବି ୭୦ହଜାର ଲୋକଙ୍କ ଜୀବନ ବଂଚାଇବାରେ ସକ୍ଷମ ହୋଇ ପାରିଛନ୍ତି  । ଯାହା ଏକ ଉଦାହରଣ । କେରଳ ବନ୍ୟା ପ୍ରଭାବିତଙ୍କ ପୁନରୁଦ୍ଧାର ପାଇଁ ଯେଉଁଭଳି ଭାବେ ସବୁବର୍ଗ ସହାୟତାର ହାତ ବଢ଼ାଇଛନ୍ତି ଏହା ପୁଣି ଥରେ ଏକତାକୁ ପ୍ରଦର୍ଶିତ କରିଛି  ।