ବିବାଦୀୟ ଆତ୍ମଘୋଷିତ ବାବା ରାମ ରହିମଙ୍କ ଯୌନ ନିର୍ଯ୍ୟାତନାର ପୂରା ଘଟଣା

230

କନକ ବ୍ୟୁରୋ : ଦୋଷୀ ସାବ୍ୟସ୍ତ ହେଲେ ବାବା ରାମ ରହିମ । ଦୀର୍ଘ ୧୫ ବର୍ଷ ପରେ ଡେରା ପ୍ରମୁଖ ବାବା ରାମ ରହିମଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯ୍ୟାତନା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସ୍ୱାଧୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ୩୭୬ ଧାରା ଅନୁଯାୟୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଆସନ୍ତା ୨୮ରେ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ ।

ରାମରହିମଙ୍କ ଗିରଫ ପରେ ପଞ୍ଚକୁଲାରେ ପରିସ୍ଥିତି ଅଣାୟତ୍ତ ହୋଇଛି । କୋର୍ଟ ପରିସରରେ ବାବାଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । କେବଳ ପଞ୍ଚକୁଲା ନୁହେଁ ପଞ୍ଜାବରେ ମଧ୍ୟ ବାବାଙ୍କ ସମର୍ଥକ ଲଙ୍କାକାଣ୍ଡ ଭିଆଇଛନ୍ତି । ସମର୍ଥକ ମାନେ ପଞ୍ଜାବର ଦୁଇଟି ରେଳ ଷ୍ଟେସନ ପୋଡିବା ସହ ମନସାରେ ଦୁଇଟି ଗାଡି ପୋଡିଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ବାବାଙ୍କ ସମର୍ଥକ ମାନେ ପଥର ମାଡ କରିଛନ୍ତି ।

ବିବାଦୀୟ ଆତ୍ମଘୋଷିତ ବାବା ରାମ ରହିମଙ୍କ ଯୌନ ନିର୍ଯ୍ୟାତନାର ପୂରା ଘଟଣା:

ଅପ୍ରେଲ ୨୦୦୨: ଡେରା ସଚ୍ଚା ସୌଦାର ସଂପ୍ରଦାୟର ପ୍ରମୁଖ ଜଣେ ରାମରହିମଙ୍କ ଆଶ୍ରମରେ ରହୁଥିବା ଜଣେ ସ୍ୱାଧୀ ପଞ୍ଜାବ ଓ ହରିୟାଣାର ହାଇକୋର୍ଟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏକ ଅଭିଯୋଗପତ୍ର ପଠାଇଥିଲେ । ଏହି ଅଭିଯୋଗପତ୍ରରେ ସ୍ୱାଧୀ ଜଣକ ବାବାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । କେବଳ ସେ ନୁହଁନ୍ତି ଆଶ୍ରମରେ ରହୁଥିବା ଅନ୍ୟ ମହିଳା ଅନୁଗାମୀ ମଧ୍ୟ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବାର ସ୍ୱାଧୀ ଅଭିଯୋଗପତ୍ରରେ ଦର୍ଶାଇଥିଲେ ।

ମେ ୨୦୦୨: ସ୍ୱାଧୀଙ୍କ ଅଭିଯୋଗପତ୍ରକୁ ଆଧାର କରି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ନିଜ ଆଡୁ ବାବାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲା ଦାୟର କର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତକାରୀ ଦଳ ଏହି ମାମଲାରେ ୧୮ ଜଣ ସ୍ୱାଧୀଙ୍କୁ ପଚରାଉଚରା କରିଥିଲେ । ତେବେ ଏଥିମଧ୍ୟରୁ ଦୁଇ ଜଣ ସ୍ୱାଧୀ ବାବଙ୍କ ଉପରେ ଯୌନ ନିର୍ଯ୍ୟାତନାର ଆରୋପ ଲଗାଇଥିଲେ ।

ଡିସେମ୍ବର ୨୦୦୨: ବାବାଙ୍କ ଉପରେ ଲାଗିଥିବା ଆରୋପ ପ୍ରମାଣିତ ହେବା ପରେ ଧାରା ୩୭୬, ଧାରା ୫୦୬ ଓ ଧାରା ୫୦୯ ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।

ଡିସେମ୍ବର ୨୦୦୩: ସିବିଆଇକୁ ଏହି ମାମଲାର ତଦନ୍ତ ଭାର ନ୍ୟସ୍ତ କରାଗଲା । ତଦନ୍ତ ଅଧିକାରୀ ସତୀଶ ଡାଗର ଏହି ମାମଲାର ତଦନ୍ତ ଭାର ହାତକୁ ନେବା ପରେ ୨୦୦୫-୦୬ ମସିହାରେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ସ୍ୱାଧୀଙ୍କୁ ଖୋଜି ପାଇଥିଲେ ।

୩୦ ଜୁଲାଇ ୨୦୦୭: ସିବିଆଇ ଏହି ମାମଲାର ତଦନ୍ତ କରି ଆମ୍ବଲା ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ପରେ ଏହି ମାମଲାକୁ ଆମ୍ବଲା କୋର୍ଟରୁ ପଞ୍ଚକୁଲା କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଚାର୍ଜସିଟରେ ରେକର୍ଡ ହୋଇଥିବା ଦୁଇ ସ୍ୱାଧୀଙ୍କ ବୟାନ ସ୍ଥାନ ପାଇଥିଲା । ତା ସହ ଚାର୍ଜସିଟରେ ୧୯୯୯ ଓ ୨୦୦୧ରେ ରାମରହିମଙ୍କ ଆଶ୍ରମରେ ହୋଇଥିବା ଯୌନ ନିର୍ଯ୍ୟାତନା ଘଟଣା ସ୍ଥାନ ପାଇଥିଲା ତେବେ ସେତେବେଳେ ନିର୍ଯ୍ୟାତିତା ହୋଇଥିବା ସ୍ୱାଧୀଙ୍କ ଖୋଜି ପାଇବାରେ ବିଫଳ ହୋଇଥିଲା ସିବିଆଇ ।

ତେବେ ଜଣେ ସ୍ୱାଧୀ ନିଜ ବୟାନରେ କହିଛନ୍ତି ଯେ, ଥରେ ସେ ରାମରହିମଙ୍କ ବ୍ୟକ୍ତିଗତ କକ୍ଷ ମଧ୍ୟକୁ ପ୍ରବେଶ କରିବା ପରେ କକ୍ଷର ଦ୍ୱାର ଆପେ ଆପେ ବନ୍ଦ ହୋଇଯାଇଥିଲା । ତେବେ ସେଠାରେ ବାବା ଅଶ୍ଲୀଳ ଭିଡିଓ ଦେଖୁଥିବାର ସô୍ାଧୀ ଦେଖିବାକୁ ପାଇଥିଲେ ।
ଅଗଷ୍ଟ ୨୦୦୮: ଏହି ମାମଲାର ଟ୍ରାଏଲ ଆରମ୍ଭ କରାଗଲା ଓ ରାମ ରହିମଙ୍କ ବିରୋଧରେ ଅଭିଯୋଗର ଶୁଣାଣି ଆରମ୍ଭ ହେଲା ।

୨୦୧୧ରୁ ୨୦୧୭: ଦୀର୍ଘ ୬ ବର୍ଷ ଧରି କେସର ଟ୍ରାଏଲ ଚାଲିବା ସହ ରାମରହିମଙ୍କୁ ନିର୍ଦ୍ଦୋଷ ଦର୍ଶାଇବା ପାଇଁ ତାଙ୍କ ଓକିଲ ଯୁକ୍ତି ବାଢିଥିଲେ ।

ଜୁଲାଇ ୨୦୧୬: ଏହି ମାମଲାର ଶୁଣାଣି ବେଳେ ୫୨ ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜିର କରାଯାଇଥିଲା । ଏଥିରେ ଆବେଦନକାରୀଙ୍କ ପକ୍ଷରୁ ୧୫ ଜଣ ଓ ପ୍ରତିପକ୍ଷଙ୍କ ପକ୍ଷରୁ ୩୭ ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା ।

ଜୁନ ୨୦୧୭: ସ୍ୱତନ୍ତ୍ର କୋର୍ଟ ଡେରା ପ୍ରମୁଖ ରାମ ରହିମଙ୍କ ବିଦେଶ ଯାତ୍ରା ଉପରେ ରୋକ ଲଗାଇଲେ । ରାମ ରହିମଙ୍କୁ ବିଦେଶକୁ ନ ଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଲେ ।

୨୫ ଜୁଲାଇ ୨୦୧୭: ସିବିଆଇ କୋର୍ଟ ଏହି ମାମଲାର ପ୍ରତିଦିନ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ଏହି ମାମଲାର ଶୀଘ୍ର ରାୟ ପ୍ରକାଶ ପାଇପାରିବ ।

୧୭ ଅଗଷ୍ଟ ୨୦୧୭: ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୁଇ ପକ୍ଷର ବୟାନ ଶୁଣିବା ପରେ ୨୫ ତାରିଖରେ ରାୟ ପ୍ରକାଶ କରିବାକୁ ସ୍ଥିର କରିଥିଲେ ।

୨୫ ଅଗଷ୍ଟ ୨୦୧୭: ଦୋଷୀ ସାବ୍ୟସ୍ତ ହେଲେ ବାବା ରାମ ରହିମ । ଦୀର୍ଘ ୧୫ ବର୍ଷ ପରେ ଡେରା ପ୍ରମୁଖ ବାବା ରାମ ରହିମଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯ୍ୟାତନା ମାମଲାରେ ଆଜି ରାୟ ପ୍ରକାଶ ପାଇଲା । ପଞ୍ଚକୁଲା ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ରହିମଙ୍କୁ ଦୋଷୀ ସାବ୍ୟସ୍ତ କଲେ । ଆଗାମୀ ୨୮ ତାରିଖରେ ଏନେଇ ଦଣ୍ଡବିଧାନ କରାଯିବ ।