ଡାଲିକୁ ନେଇ ସାଂଘାତିକ ତଥ୍ୟ ! ଆପଣ ଖାଉଥିବା ଡାଲିରେ ମିଶୁଛି ବିଶାକ୍ତ କେମିକାଲ, ନଖାଇବା ପାଇଁ ପରାମର୍ଶ ଦେଲା ଏଫଏସଏସଏଆଇ ।

104

କନକ ବ୍ୟୁରୋ : ଆପଣମାନେ ପ୍ରତିଦିନ ଡାଲି ଖାଉଛନ୍ତି କି ? ତେବେ ସାବଧାନ । ଶରୀରକୁ ଆବଶ୍ୟକ ପୁଷ୍ଟିସାର ଯୋଗାଉଥିବା ଡାଲିକୁ ବିଷାକ୍ତ ଘୋଷଣା କରିଛନ୍ତି ଭାରତୀୟ ଖାଦ୍ୟ ସୁରକ୍ଷା ଓ ନିରାପତା କର୍ତୃପକ୍ଷ । ଖାଇବା ଟେବୁଲରେ ପରସା ଯାଉଥିବା ମୁଗ ଓ ମସୋରି ଡାଲିକୁ ବିଷାକ୍ତ ବୋଲି କହିଛି ଏଫଏସଏସଏଆଇ । ବିଶେଷ ଭାବେ କାନାଡା ଓ ଅଷ୍ଟ୍ରେଲିଆରୁ ଆସୁଥିବା ମୁଗ ଓ ମସୋରି ଡାଲିରେ ବିଷାକ୍ତ କ୍ୟାମିକାଲ ଥିବା ରିପୋର୍ଟ ଆସିଛି । ଏହାପରେ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ସତର୍କ ସୂଚନା ଜାରି କରିଛନ୍ତି । ଏହା ସହ ପ୍ରତ୍ୟେକ ଦିନ ମୁଗ କିମ୍ବା ମସୋରି ଡାଲି ନ ଖାଇବା ପାଇଁ ପରାମର୍ଶ ଜାରି କରିଛନ୍ତି ।

ବିଶେଷ ଭାବେ ଭାରତକୁ ଅଷ୍ଟ୍ରେଲିଆରୁ ମୁଗ ଡାଲି ଆସୁଥିବା ବେଳେ କାନାଡାରୁ ମସୋରି ଡାଲି ଆସୁଛି । ଆଉ ଏସବୁ ଡାଲିରେ ବିଷାକ୍ତ କ୍ୟାମିକାଲ ମିଶୁଥିବା ନେଇ ଅଭିଯୋଗ ଆଣିଥିଲେ ଜଣାଶୁଣା ସମାଜସେବୀ ଶାନ୍ତନୁ ମିଶ୍ର । ଏହାପରେ ଏଫଏସଏସଏଆଇ ବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ନିରାପତା କର୍ତୃପକ୍ଷ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ଏହାପରେ ଜଣାପଡିଛି ମୁଗ ଓ ମସୋରି ଡାଲିରେ ଅଧିକ ପରିମାଣର ଗ୍ଲାଇଫୋସେଟ କ୍ୟାମିକାଲ ରହିଛି,ଯାହା ଅତ୍ୟନ୍ତ କ୍ଷତିକାରକ । ଏହାପରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଓ ଏଫଏସଏସଏଆଇର ପରାମର୍ଶ କ୍ରମେ ସତର୍କ ସୂଚନା ଜାରି କରାଯାଇଛି । କାରଣ ଗ୍ଲାଇଫୋସେଟ ଅକ୍ନ ବିଷାକ୍ତ ରାସାୟନିକ ପଦାର୍ଥ ।

ପୂର୍ବରୁ ଗ୍ଲାଇଫୋସେଟ କ୍ୟାମିକାଲ ମିଶିଥିବା ଫସଲ ଖାଇ ଶ୍ରୀଲଙ୍କାରେ ବହୁ ଚାଷୀଙ୍କ ମୃତ୍ୟୁ ହୋଇଛି । ଏଣୁ ବର୍ତମାନ ଆମ ଦେଶରେ ମୁଗ ଓ ମସୋରି ଡାଲିରେ ଏହି ବିଷାକ୍ତ କ୍ୟାମିକାଲ ମିଶିଥିବା ଜଣାପଡିବା ପରେ ଏହି ଡାଲି ଖାଇବାରୁ ଦୂରେଇ ରହିବା ପାଇଁ ପରାମର୍ଶ ଜାରି କରିଛନ୍ତି ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ । ଗ୍ଲାଇଫୋସେଟ କ୍ୟାମିକାଲ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ କମାଇ ଦେଇଥାଏ । ଏଭଳି ବିଷାକ୍ତ କ୍ୟାମିକାଲଯୁକ୍ତ ଖାଦ୍ୟ ଖାଇଲେ ଶରୀର ଆବଶ୍ୟକ କରୁଥିବା ଭିଟାମିନ ଓ ପ୍ରୋଟିନ ଶରୀରରୁ କମିଯାଇଥାଏ ।

ଅଧିକ ପରିମାଣରେ ଗ୍ଲାଇଫୋସେଟ ମିଶା ଖାଦ୍ୟ ଶରୀରକୁ ଗଲେ କିଡନି ଓ ଯକୃତ ଅଚଳ ହେବାର ଆଶଙ୍କା ବି ରହିଛି । ୩ ବର୍ଷ ତଳେ ଗ୍ଲାଇଫୋସେଟକୁ ଫସଲରେ ପ୍ରୟୋଗ କରିବାର ସମ୍ପୂର୍ଣ୍ଣ ଅନୁମତି ଥିବା ବେଳେ ୨୦୧୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଷାକ୍ତ ବୋଲି ଘୋଷଣା କରିଛି । କେତେ ପରିମାଣ ଗ୍ଲାଇଫୋସେଟ ଫସଲରେ ବ୍ୟବହାର ହୋଇପାରିବ ସେ ନେଇ ନିର୍ଦ୍ଦିଷ୍ଟ ନିୟମ ନଥିବା ବେଳେ ଏହାର ବ୍ୟବହାର କମାଇବା ନେଇ ଚିନ୍ତା କରୁଛି ଏଫଏସଏସଏଆଇ । ସବୁଠାରୁ ବିଚଳିତ କରିବା ଭଳି ତଥ୍ୟ ହେଉଛି ଭାରତରେ ଯେଉଁ ମୁଗ ଓ ମସୋରି ଡାଲିର ନମୁନା ସଂଗ୍ରହ ହୋଇଥିଲା ସେଥିରେ ମାତ୍ରାଧିକ ଗ୍ଲାଇଫୋସେଟ ଥିବା ଜଣାପଡିଛି ।