ଆରମ୍ଭ ହେଲା ଅପରେସନ ମୁସ୍କାନ ୩ !

21

କନକ ବ୍ୟୁରୋ : ରାଜ୍ୟରେ ୨୦୧୩ରୁ ୨୦୧୭ ମଧ୍ୟରେ ମୋଟ ୧୯୫୮ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଉଭୟ ନାବାଳକ ଓ ନାବାଳିକା ଅଛନ୍ତି । କିନ୍ତୁ ଏହି ସଂଖ୍ୟା ବାଦ୍‌ ଆହୁରି ଶତାଧିକ ଶିଶୁ ଓଡ଼ିଶାରୁ ନିଖୋଜ ଥିବା ସୂଚନା ମିଳିଛି । ସମସ୍ତ ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ମୁସ୍କାନ-୩ ମାଧ୍ୟମରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ୧୫ ତାରିଖରୁ ରାଜ୍ୟ ଭିତରେ ଓ ବାହାରେ ଏକ ମାସ ବ୍ୟାପୀ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି କ୍ରାଇମ୍‌ବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ବିଜୟ ଶର୍ମା କହିଛନ୍ତି ।

ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ରାଜ୍ୟ ବ୍ୟାପୀ ଚାଲିଥିବା ଅପରେସନ୍‌ ‘ମୁସ୍କାନ’ର ତୃତୀୟ ପର୍ଯ୍ୟାୟ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲିଠାରୁ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରେ ନିଖୋଜ ଶିଶୁଙ୍କୁ ଠାବ କରାଯିବ । ସେହିପରି ଜୁଲାଇ ୩୦ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବାହାରେ ଥିବା ୮ଟି ଜିଲ୍ଲାକୁ ୮ଟି ଟିମ୍‌ ଗସ୍ତ କରିବ । ଏଥିପାଇଁ ଆଜି ବକ୍ସିବଜାର କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ କ୍ରାଇମ୍‌ବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ବିଜୟ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଭିଡିଓ କନ୍‌ଫରେନ୍‌ସିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲା ଓ୍ଵାରି ଏସ୍‌ପି, ରେଞ୍ଜ ଆଇଜି, ଡିଆଇଜିଙ୍କ ସହିତ ଶିଶୁଙ୍କୁ ଉଦ୍ଧାର ଓ ଥଇଥାନ ପ୍ରକ୍ରିୟା ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା।

ଉଦ୍ଧାର କାର୍ଯ୍ୟରେ ରାଜ୍ୟ ଭିତରେ ସମସ୍ତ ଜିଲ୍ଲା ପୁଲିସ, ଜିଲ୍ଲା ପ୍ରଶାସନ, ଥାନା, ଆଉଟ୍‌ପୋଷ୍ଟ ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ। ଅନ୍ୟପଟେ ରାଜ୍ୟ ବାହାରକୁ ଯାଉଥିବା ୮ଟି ଟିମ୍‌ରେ ମହିଳା ଓ ଶିଶୁ ବିକାଶ ବିଭାଗ, ଶ୍ରମ ବିଭାଗ, ପୁଲିସ ବିଭାଗର ବିଭିନ୍ନ ରେଞ୍ଜ ଏବଂ କ୍ରାଇମ୍‌ବ୍ରାଞ୍ଚର ଅଭିଜ୍ଞ ଅଧିକାରୀ ସାମିଲ ହେବେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଶିଶୁଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ନିକଟରୁ ନିଖୋଜ ସଂକ୍ରାନ୍ତରେ ତଥ୍ୟ କ୍ରାଇମ୍‌ବ୍ରାଞ୍ଚ ସଂଗ୍ରହ କରିବ । କାରଣ ଅନେକ ପରିମାଣରେ ଶିଶୁଙ୍କ ନିଖୋଜ ସଂକ୍ରାନ୍ତରେ ପରିବାର ଲୋକେ ଥାନାରେ ଏତଲା ଦେଉନଥିବା କୁହାଯାଉଛି।

କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରାଜ୍ୟ ବାହାରକୁ ଯିବା ପାଇଁ ଗଠନ ହୋଇଥିବା ୮ଟି ଟିମ୍‌ର ମୁଖ୍ୟଙ୍କ ପାଇଁ ଖୁବ ଶୀଘ୍ର କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ତାଙ୍କୁ ଉଦ୍ଧାର ଓ ଥଇଥାନ ପ୍ରକ୍ରିୟା ସମ୍ପର୍କରେ ବିଭିନ୍ନ ଆଇନଗତ ପରାମର୍ଶ ପ୍ରଦାନ କରାଯିବ । ଅନ୍ୟପଟେ ନିଖୋଜ ଶିଶୁଙ୍କ ସମ୍ପର୍କରେ ଜନସାଧାଣ ଟ୍ଵିଟର୍‌, ହ୍ଵାଟସ୍‌ଆପ୍‌, ଟ୍ରାକ୍‌ ଚାଇଲ୍ଡ ପୋର୍ଟାଲ୍‌, ଜିଲ୍ଲା ଏସ୍‌ପି କିମ୍ବା କ୍ରାଇମ୍‌ବ୍ରାଞ୍ଚକୁ ସୂଚନା ପ୍ରଦାନ କରିିବା ପାଇଁ ଶ୍ରୀ ଶର୍ମା ଆହ୍ଵାନ୍‌ ଦେଇଛନ୍ତି ।

ମୁସ୍କାନ୍‌-୩ରେ ଉଦ୍ଧାର ହୋଇଥିବା ଶିଶୁଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପରିବାର ଲୋକଙ୍କ ଜିମା ଦିଆଯିବ। ଯେଉଁମାନଙ୍କ ପରିବାର ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବ, ସେମାନଙ୍କୁ ଚିଲଡ୍ରେନ୍‌ ହୋମ୍‌ କିମ୍ବା ସ୍ୱାଧାର ଗୃହରେ ଥଇଥାନ କରାଯିବ । ସମ୍ପୃକ୍ତ ଶିଶୁଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଆଜି ଆୟୋଜିତ ଭିଡିଓ କନ୍‌ଫରେନ୍‌ସିଂ କାର୍ୟ୍ୟକ୍ରମରେ ସ୍ୱତନ୍ତ୍ର ଡିଜି ବିଜୟ ଶର୍ମାଙ୍କ ସମେତ ରେଲେଓ୍ଵ ଆଇଜି ଅରୁଣ ବୋଥ୍ରା, କ୍ରାଇମ୍‌ବ୍ରାଞ୍ଚ ଆଇଜି ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।