ଦୀର୍ଘ ୧୩ ଦିନ ପରେ ଆଜି ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢ଼ା

ରତ୍ନସିଂହାସନକୁ ଫେରି ଆସିଛନ୍ତି ମହାପ୍ରଭୁ

75

କନକ ବ୍ୟୁରୋ : ରତ୍ନସିଂହାସନକୁ ଫେରି ଆସିଛନ୍ତି ମହାପ୍ରଭୁ । ୧୩ ଦିନର ଯାତ୍ରା ପରେ ଚତୁର୍ଦ୍ଧାମୂର୍ତି ରତ୍ନବେଦୀକୁ ଫେରିଛନ୍ତି । ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଫେରିଛନ୍ତି ଜଗତର ନାଥ ଜଗନ୍ନାଥ । ଆଜି ମିଳିବ ନୀଳାଚଳ ଅବଢ଼ା  । ୧୩ ଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାର ଖାଁ ଖାଁ ପଡିବା ପରେ ଆଜିଠାରୁ ଶ୍ରୀମନ୍ଦିରରେ ଅବଢ଼ା ମିଳିବ । ଶ୍ରୀଗୁଣ୍ଡିଚା ସମୟରେ ଭକ୍ତମାନେ ଆଡପ ଅବଢ଼ା ପାଇଥିଲେ । କିନ୍ତୁ ବାହୁଡା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନେ ଅବଢ଼ାରୁ ବଂଚିତ ଥିଲେ । ଗତକାଲି ନୀଳାଦ୍ରୀ ବିଜେ ପରେ ଭକ୍ତମାନେ ଆଜିଠାରୁ ଶ୍ରୀମନ୍ଦିରରେ ଅବଢ଼ା ପାଇବେ ।

source : google

ତେବେ ଆଜି ଚନ୍ଦ୍ରଗ୍ରହଣ ଥିବାରୁ ଆଜି ସଅଳ ଅବଢ଼ା ବାହାରିବ ବୋଲି କୁହାଯାଉଛି । ନୀଳାଚଳ ଅବଢ଼ାରେ ଭକ୍ତଙ୍କ ଆଗ୍ରହ ଥିବାବେଳେ ପ୍ରତ୍ୟେକ ବର୍ଷ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଏ । ଫଳରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇ ଫେରିଥାନ୍ତି । ନୀଳାଚଳ ଅବଢ଼ାର ମହାତ୍ମ୍ୟ ଅଲଗା । ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଛପନ ପଉଟି ଭୋଗ ଲାଗି ହୋଇଥାଏ ତାକୁ ନୀଳାଚଳ ଅବଢ଼ା କୁହନ୍ତି । ଯେହେତୁ ମହାପ୍ରଭୁ ୧୩ ଦିନ ପରେ ନୀଳାଦ୍ରି ବିଜେ କରିଛନ୍ତି, ସେହି ଦୃଷ୍ଟିରୁ ଆଜି ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ ହେବ । ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ ।