ତାତିରୁ ମିଳିବ ଆଶ୍ୱସ୍ତି ! ଆଜିଠୁ କାଳବୈଶାଖୀ ବର୍ଷା, ୧୫ରୁ ଅଧିକ ଜିଲ୍ଲାରେ ପଡିପାରେ ପ୍ରଭାବ

ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି

525

କନକ ବ୍ୟୁରୋ : ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି। ବୁଧବାରଠାରୁ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ। କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ବି ରହିଛି। ବିଶେଷକରି ୧୪ ଓ ୧୫ ତାରିଖରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି କୁହାଯାଇଛି ଯେ ୧୩ ଓ ୧୪ ତାରିଖରେ କନ୍ଧମାଳ, କଳାହାଣ୍ଡି, ଭଦ୍ରକ, ନୟାଗଡ଼, ରାୟଗଡ଼ା, ବଲାଙ୍ଗୀର, ଗଞ୍ଜାମ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୂଆପଡ଼ା, ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଏହାପରେ ଉପକୂଳ ଓ ଉତ୍ତର ଓଡ଼ିଶା ଉପରେ କାଳବୈଶାଖୀର ପ୍ରଭାବ ରହିବ।

ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର ଓ ପୁରୀ ଜିଲ୍ଲାରେ ପାଗ କୋହଲା ରହିବ। ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ୪ ଦିନ ଧରି ଓଡ଼ିଶା ଉପରେ କାଳବୈଶାଖୀର ଏଭଳି ପ୍ରଭାବ ରହିବ ବୋଲି ଆକଳନ କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଉତ୍ତର-ପଶ୍ଚିମ ଭାରତରେ ବାରମ୍ବାର ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ସୃଷ୍ଟି ହେଉଛି। ଯାହାକି ପୂର୍ବ ଭାରତ ଆଡ଼କୁ ଗତି କରୁଛି। ଫଳରେ ବାରମ୍ବାର କାଳବୈଶାଖୀ ସହ ବଜ୍ରପାତ ଓ କୁଆପଥର ବର୍ଷା ହେଉଛି। ୧୪ ଓ ୧୫ ତାରିଖରେ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ। ଏଥିସହ ମାର୍ଚ୍ଚ ୧୮ ଓ ୨୧ ମଧ୍ୟରେ ଆଉ ଏକ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ସୃଷ୍ଟି ହୋଇପାରେ।

ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପାଗ କୋହଲା ରହିବ। ସମୁଦ୍ର ଆଡ଼ୁ ପବନ ଆସିବାକୁ ଥିବାରୁ ତାପମାତ୍ରା ଏତେ ବଢ଼ିବ ନାହିଁ। ହେଲେ ୨୩ ତାରିଖ ପରେ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯିବ। ଦୁଇ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ତାଳଚେର ତାପମାତ୍ରା ପ୍ରଥମ ଥର ଲାଗି ୩୯ ଡିଗ୍ରି ପାର୍ କରିଛି। ମାଲକାନଗିରିରେ ଦିନର ତାପମାତ୍ରା ସ୍ଥିର ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ପୁଣିଥରେ ୩୭ ଡିଗ୍ରିରେ ପହଞ୍ଚିଛି। ଅନୁଗୁଳ, ଟିଟିଲାଗଡ଼ ତାପମାତ୍ରା ବି ଅନୁରୂପ ଭାବେ ୩୭ ଡିଗ୍ରି ଟପିଛି।