ରାଜନୀତି ଛାଡିଲେ କୃଷକ ବନିଲେ ! ବିଳାସମୟ ଜୀବନ ଛାଡି ଅନେକଙ୍କ ପାଇଁ ଉଦାହରଣ ପାଲଟିଲେ ରୋହିତ

62

ଛୋଟରୁ ବଡ ହେବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାଆନ୍ତି । ବଡ ପଦପଦବୀରେ ଅଧିଷ୍ଠିତ ହେବା ପାଇଁ ସମସ୍ତଙ୍କର ଆଶା ଥାଏ । ଡାକ୍ତର,ଇ୍ଂଜିନିୟର, କଲେକ୍ଟର , ବିଧାୟକ, ମନ୍ତ୍ରୀ ହେବା ପାଇଁ ସମସ୍ତେ ଦିନରାତି ଦୌଡୁଥିବା ବେଳେ କେହି କୃଷକ ହେବା ଲକ୍ଷ୍ୟ ରଖିଥିବା ନଜରକୁ ଆସିନଥାଏ । କିନ୍ତୁ ଏଭଳି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ରାଜନୀତିରୁ ବି କୃଷକ ହେବାକୁ ଇଚ୍ଛା ବଳାଇଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି ।

ଛତିଶଗଡର ଅଚନକପୁରର ରୋହିତ ରାମ ସାହୁ । ରାଜନୀତି ବିଜ୍ଞାନରେ ଉଚ୍ଚଶିକ୍ଷା ସାରିବା ପରେ ପାଟଣା ବିଧାନସଭାରେ କାମ କରିଥିଲେ । କିନ୍ତୁ ରାଜନୀତିରେ ଥିବା ବେଳେ ଗୋଟିଏ ଅଘଟଣ ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ଆଉ ସେ ହୋଇଗଲେ ରାଜନେତାରୁ ଚାଷୀ । ରାଜନୀତିର ସୁବିଧାସୁଯୋଗ, ପାୱାର ସହ ଅର୍ଥ ତାଙ୍କ ଚାଷୀ ହେବାର ମୋହକୁ ଅଟକାଇ ପାରିନଥିଲା । ଜଣେ ରାଜନେତା ହେବା, ସବୁଠୁ ବଡ ବର୍ଗର ଲୋକଙ୍କ ସହ ମିଶିବା, ଦେଶ ତଥା ରାଜ୍ୟ ଚଳାଇବା ପାଇଁ ନିୟମ ତିଆରି କରିବା ଲୋକ ଏତେବଡ ପଦବୀର ମୋହ ଛାଡି ଓହ୍ଲାଇଥିଲେ ନିଜ ଜମିକୁ । ନାଗପୁରର ଦେବଲପରାରେ ପାଂଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଓ ଛତିଶଗତ କାମଧେନୁ ବିଶ୍ୱବିଦ୍ୟାଳୟର ଦୁଇ ଦିନିଆ ତାଲିମ ପ୍ରୋଗ୍ରାମ ରୋହିତଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଆଉ ଶେଷରେ ଆପଣାଇ ନେଲେ କୃଷିକୁ ।

ପାଂଚ ବର୍ଷ ତଳର ଘଟଣା । ରୋହିତ ଯେତେବେଳେ ଜଣେ ଚାଷୀଙ୍କ ସହ ମିଶି ନିଜ ଜମିରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରଥିବା ସମୟରେ, କିଛି କୀଟନାଶକ ରୋହିତଙ୍କ ଦେହରେ ପଡି ପୋଡିଯାଇଥିଲା । ଏ ନେଇ ସେ ଯେତେବେଳେ କୃଷି ବିଶେଷଜ୍ଞ ସହ ଆଲୋଚନା କରିଥିଲେ ସେ , ତାଙ୍କୁ ଶୁଦ୍ଧ ଘିଅ ବ୍ୟବହାର କରିବାକୁ ଉପଦେଶ ଦେଇଥିଲେ । ଏବଂ ଘିଅ ବ୍ୟବହାର କରି ସଫଳତା ପାଇଥିଲେ ରୋହିତ । ତାପରେ ସେ ଅନୁଭବ କରିଥିଲେ ରାସାୟନିକ ସାର କେବଳ ଫସଲ ଉତ୍ପାଦନ ଉପରେ ପ୍ରଭାବ ପକାଉ ନାହିଁ ବରଂ ଜମିର ଉର୍ବରତା ହ୍ରାସ କରୁଛି । ତାପରେ ବିଭିନ୍ନ ତାଲିମ ନେଇ ରୋହିତ ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇଥିଲେ ।

ରାଜନୀତିରୁ କୃଷକ ଯାତ୍ରା ଏତେ ସୁବିଧା ଓ ଆରାମଦାୟକ ନଥିଲା । ବାରମ୍ବାର ଲୋକଙ୍କ ହାସ୍ୟାସ୍ପଦର ଶିକାର ହେଉଥିଲେ ରୋହିତ । ତା ସହ ଜୈବିକ ପ୍ରଣାଳୀରେ ଚାଷ କରିବା ତାଙ୍କୁ ମହଙ୍ଗା ପଡିଥିଲା । ଅନ୍ୟ ଚାଷୀମାନେ ମଧ୍ୟ ତାଙ୍କୁ ବିଶ୍ୱାସକୁ ନେଇନଥିଲେ । କିନ୍ତୁ ଯେତେବେଳେ ତାଙ୍କର ଉତ୍ପାଦନ ଭଲ ହେଲା ଅନ୍ୟ କୃଷକମାନେ ତାଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ । ରୋହିତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ମହାସମୁଦ, ଅରଙ୍ଗ ଓ ଧାମତରୀ ଅଂଚଳର ଅନେକ ଚାଷୀ । କେବଳ ସେତିକି ନୁହେଁ ସେ ତାଙ୍କ ଚାଷ ମଧ୍ୟରେ ଅନେକ ସେଲଫ -ହେଲପ ଗ୍ରୁପ ଓ ଚାଷୀଙ୍କୁ କର୍ମନିଯୁକ୍ତି ଯୋଗାଇବାରେ ସଫଳ ହୋଇଛନ୍ତି । ଜୈବିକ କୃଷି ସହ ପାରମ୍ପରିକ ଚାଷକୁ ମଧ୍ୟ ଛାଡିନାହାନ୍ତି ରୋହିତ । ପଚାଶରୁ ଅଧିକ ପ୍ରକାରର ଧାନ ଚାଷ କରିବା ସହ ତିନୋଟି ନୂଆ ପ୍ରକାରର ଧାନ ଚାଷ କରୁଛନ୍ତି । ଅନେକଙ୍କ ପାଇଁ ଅର୍ଥ ଉପାର୍ଜନର ମାଧ୍ୟମ ପାଲଟିଛନ୍ତି ରୋହିତ । ଅନେକ ଚାଷୀ ତାଙ୍କ ଉପରେ ନିର୍ଭରଶୀଳ । ନିକଟରେ ରାୟପୁର ଅନୁଷ୍ଠିତ ହୋଇଥିବା ରାଜ୍ୟତ୍ସୋବ କାର୍ଯ୍ୟକ୍ରମରେ ଜେବିକ କୃଷିକୁ ଗୁରୁତ୍ୱ ଓ ଚାଷୀମାନଙ୍କୁ ସାହାଯ୍ୟ କରୁଥିବାରୁ ରୋହିତଙ୍କୁ ସମ୍ମାନିତ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଏହି ଘଟଣାକୁ ଜାଣିଲା ପରେ ଆମ ଦେଶରେ ଚାଷୀଙ୍କ ପ୍ରତି ଥିବା ଲୋକଙ୍କ ମାନସିକତାରେ ପରିବର୍ତନ ଆସିବା ଆବଶ୍ୟକ । ତେବେ ରୋହିତଙ୍କ ପରିବର୍ତନ କେବଳ ଚାଷୀଙ୍କୁ ନୁହେଁ ଅନେକ ଯୁବକଙ୍କୁ ନିଶ୍ଚିତଭାବେ ପ୍ରେରଣା ଯୋଗାଇବ । ତେବେ ଆଜିର ଯୁବ ଗୋଷ୍ଠୀ ଚାଷକୁ ଗୁରୁତ୍ୱ ନଦେଇ ଚାକିରି ପଛରେ ଗୋଡାଉଥିବା ସମୟରେ ରାଜନେତାରୁ ଚାଷୀ ବନିଥିବା ରୋହିତଙ୍କ ଉଦ୍ୟମ ପ୍ରସଂସନୀୟ ।