ବିଶ୍ୱବ୍ୟାପୀ କେମିତି ପାଳନ କରାଯାଏ ଦୀପାବଳି : ଆସନ୍ତୁ ଜାଣିବା

73

ଭାରତକୁ ଛାଡ଼ି ବିଶ୍ୱର ଅନ୍ୟାନ୍ୟ ଦଶଟି ଦେଶରେ ମଧ୍ୟ ଦୀପାବଳି ଦିନ ସରକାରୀ ଛୁଟି ହୋଇଥାଏ। ହିନ୍ଦୁ, ବୌଦ୍ଧ, ଜୈନ ଏବଂ ଶିଖ୍‌ ଧର୍ମାବଲମ୍ବୀ ବହୁଳ ଦେଶଗୁଡ଼ିକ ସମେତ ଏ ଆଲୋକର ପର୍ବ ଅନ୍ୟୂନ ୨୫ଟି ଦେଶରେ ଜାକଜମକରେ ପାଳନ କରାଯାଏ। ଦୀପାବଳି ପାଳନ କରାଯିବା ଗୋଟାଏ କଥା କିନ୍ତୁ, ଏଥିପାଇଁ ସରକାରୀ ଛୁଟି ଘୋଷଣା କରାଯିବା ଅପୂର୍ବ କଥା ନିଶ୍ଚୟ।

୧. ଫିଜି: ଫିଜି ଜନସଂଖ୍ୟାର ଏକ ତୃତୀୟାଂଶ ହିନ୍ଦୁ। ଜାତୀୟ ଛୁଟି ତାଲିକାରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ସ୍ୱାଭାବିକ କଥା। ଐତିହାସିକମାନେ କହନ୍ତି: ଇଂରେଜ ଅମଳରେ ଭାରତରୁ ଯାଇ ସେଠାରେ ବସବାସ କରୁଥିବା ଶ୍ରମିକମାନେ ପ୍ରଥମେ ଦୀପାବଳି ପାଳନ କରିଥିଲେ। ଏବେ ତାହା ସମଗ୍ର ଦେଶର ଉତ୍ସବ ପାଲଟି ଯାଇଛି। ସେଠାରେ ସପ୍ତାହେ ଯାଏଁ ଦୀପାବଳି ପାଳିତ ହୁଏ।

୨. ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଥିବା ହିନ୍ଦୁମାନେ ଦୀପାବଳି ସଦୃଶ ଏକ ପର୍ବ ଗାଲୁନ୍‌ଗାଁ ପାଳନ କରନ୍ତି। ଏହି ବାଲୀୟ ପର୍ବ ଅଧର୍ମ ଉପରେ ଧର୍ମର ବିଜୟ ସମ୍ବନ୍ଧିତ, ଠିକ୍‌ ଆମର ଦୀପାବଳି ପରି। ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ପାଳିତ ହେଉଥିବା ଏହି ପର୍ବ ସେ ଦେଶର ଏକ ମୁଖ୍ୟ ପର୍ବମାନଙ୍କ ମଧ୍ୟରୁ ଅନ୍ୟତମ।

୩. ନେପାଳ: ହିନ୍ଦୁ ବହୁଳ ଦେଶ ନେପାଳରେ ପାଳିତ ହୁଏ ତିହାର ବା ସ୍ୱାନ୍ତି- ଦୀପାବଳି ସମକକ୍ଷ ନେପାଳୀ ପର୍ବ। ଏହା ୫ ଦିନ ବ୍ୟାପୀ ଚାଲେ ଏବଂ ଭାରତର ‘ଭାଇ ଦୂଜ୍‌’ ପରି ‘ଭାଇ ଟୀକା’ରେ ସମାପନ ହୁଏ।

୪. ମାଲେସିୟା: ମୁଖ୍ୟତଃ ମାଲେସୀୟ ହିନ୍ଦୁମାନଙ୍କ ଦ୍ୱାରା ପାଳିତ ଦୀପାବଳି ସରକାରୀ ଗେଜେଟ୍‌ରେ ଏକ ଛୁଟି ଦିବସ। ସେ ଦିନର ଉତ୍ସବ ଏବଂ ପରମ୍ପରା ଭାରତ ଦୀପାବଳି ପରି- ଦୀପ ଜଳାଇବା, ନବବସ୍ତ୍ର ପରିଧାନ କରିବା, ଲକ୍ଷ୍ମୀପୂଜା କରିବା ଆଦି।

୫. ମରିସସ୍‌: ମରିସସ୍‌ର ବଡ଼ ପର୍ବ ଦୀପାବଳି ହିନ୍ଦୁମାନଙ୍କ ଦ୍ୱାରା ୫ ଦିନ ଧରି ପାଳିତ ହୁଏ।

୬. ମିଆଁମାର୍‌: ଭାରତ ଭଳି ମିଆଁମାରରେ ଦୀପ, ଦିବ୍ୟ ଭୋଜନ, ନବବସ୍ତ୍ର ଏବଂ ପାରମ୍ପରିକ ନୃତ୍ୟ ଆଦି ସହ ଦୀପାବଳି ପାଳିତ ହୁଏ।

୭. ସିଙ୍ଗାପୁର: ମୁଖ୍ୟତଃ ତାମିଲ୍‌ ହିନ୍ଦୁମାନଙ୍କ ଦ୍ୱାରା ପାଳିତ ଦୀପାବଳି ହେଉଛି ସେଠାକାର ଏକ ସରକାରୀ ଛୁଟି ଦିବସ।

୮. ଶ୍ରୀଲଙ୍କା: ସକାଳୁ ତେଲରେ ଗାଧୋଇ, ନୂଆଲୁଗା ପିନ୍ଧି, ପୂଜାର୍ଚ୍ଚନା କରି ହିନ୍ଦୁ ମନ୍ଦିର ଯାଇ ଦୀପାବଳି ପାଳନ କରନ୍ତି ଶ୍ରୀଲଙ୍କାର ଅଧିବାସୀମାନେ।

୯. ସୁରିନେମ୍‌: ଉତ୍ତରପ୍ରଦେଶ ଏବଂ ବିହାରରୁ ଯାଇ ଥିବା ପ୍ରବାସବାସୀଙ୍କୁ ମିଶାଇ ସୁରିନେମ୍‌ ଜନସଂଖ୍ୟାର ଶତକଡ଼ା ୩୦ ଭାଗ ହେଉଛନ୍ତି ହିନ୍ଦୁ। ସର୍‌ନାମୀ ହିନ୍ଦୁସ୍ଥାନୀ ଭାଷା ହେଉଛି ସେଠାକାର ଅନ୍ୟତମ ସରକାରୀ ଭାଷା। ସେଠାରେ ଦୀପାବଳି ଜନପ୍ରିୟ ପର୍ବ ମଧ୍ୟରୁ ଗୋଟାଏ।

୧୦. ତ୍ରିନିଦାଦ୍‌ ଓ ଟୋବାଗୋ ସାଧାରଣତନ୍ତ୍ର: ତ୍ରିନିଦାଦ୍‌ ଓ ଟୋବାଗୋ ଏବଂ ଅନ୍ୟାନ୍ୟ କାରିବୀୟ ଦ୍ୱୀପଗୁଡ଼ିକରେ ଦୀପାବଳି ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଆଲୋକର ପର୍ବ ହୋଇଥିବାରୁ ଦୀପ, ଦିବ୍ୟ ଭୋଜନ ସହ ଲକ୍ଷ୍ମୀ ପୂଜା କରାଯାଏ।

ଏ ସବୁ ଦେଶ ଛଡ଼ା ଇଂଲଣ୍ଡ୍‌, ଆମେରିକା, ଅଷ୍ଟ୍ରେଲିଆ, ପାକିସ୍ତାନର ସିନ୍ଧୁ ପ୍ରଦେଶ, ବାଂଲାଦେଶ, ଭୁଟାନ୍‌, ଥାଇଲାଣ୍ଡ୍‌, ନିଉଜିଲାଣ୍ଡ୍‌, କେନିଆ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ଗୁଆନା, ନେଦର୍‌ଲାଣ୍ଡ୍‌ସ୍‌, କାନାଡା ଏବଂ ଆୟର୍ଲାଣ୍ଡ୍‌ରେ ମଧ୍ୟ ଦୀପାବଳି ଅତି ଜାକଜମକରେ ପାଳନ କରାଯାଏ।