ଗାଡି ଚାଳକଙ୍କ ପାଇଁ ସତର୍କ ଘଂଟି ! ଏଣିକି ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ,ଗଣିବେ ମୋଟା ଅଙ୍କର ଜରିମାନା । ମାର୍ଚ୍ଚ ପହିଲାରୁ ପୁଣି ଜୋରଦାର ହେବ ଟ୍ରାଫିକ୍ କଟକଣା

ମାର୍ଚ୍ଚ ୧ରୁ ଚଢାଉ ଜୋରଦାର ନେଇ ପରିବହନମନ୍ତ୍ରୀଙ୍କ ସୂଚନା

2,872

କନକ ବ୍ୟୁରୋ: କଂଟ ପୂରିଲା, ଏଣିକି କଡାକଡି ହେବ ଚେକିଂ । ପୁଣି ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ରାଜ୍ୟରେ କଡାକଡି ହେବ ନୂଆ ମୋଟର ଯାନ ଆଇନ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ  । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ୬ ମାସର କଂଟ ପୂରି ଗଲାଣି । ଏଣିକି ଆଉ ଛାଡ ପାଇବେ ନାହିଁ, ନିୟମ ଖିଲାପ୍କାରୀ । ଟ୍ରାଫିକ୍ ଯାଂଚ ଜୋରଦାର କରାଯିବ ଏବଂ ନୂଆ ମୋଟର ଯାନ ଆଇନ୍ ଅନୁସାରେ ଜରିମାନା ଆଦାୟ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୫୦ ପ୍ରତିଶତ ସଡକ ଦୁର୍ଘଟଣା କମାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ ଲୋକେ ମଧ୍ୟ ଗାଡି କାଗଜ ପତ୍ର କାମ ସାରିଛନ୍ତି । କାରଣ ଆରଟିଓ ଅଫିସରେ ଆଉ ସେଭଳି ଭିଡ ଦେଖିବାକୁ ମିଳୁନାହିଁ ବୋଲି ପଦ୍ମନାଭ ବେହେରା କହିଛନ୍ତି ।

ଗାଡି ଚାଳକଙ୍କ ପାଇଁ ସତର୍କ ଘଂଟି । ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ କଡାକଡି ହେବ ନୂଆ ଟ୍ରାଫିକ୍ ନିୟମ । ଯାହାକୁ ଭାଙ୍ଗିଲେ ଆପଣ ଜରିମାନା ଗଣିବା ଏକ ପ୍ରକାର ନିଶ୍ଚିତ । ତେବେ ରାଜରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଏହାକୁ ନେଇ ଅନେକ ଅଭିଯୋଗ ଆସିଥିଲା । ଯାହାକୁ ୬ ମାସ ପାଇଁ କୋହଳ କରାଯାଇଥିଲା । ତେବେ ଏହି କଂଟ ଏବେ ପୁରିବାକୁ ବସିଛି । ତେଣୁ ଆସନ୍ତା ୧ତାରିଖ ତଥା ମାର୍ଚ୍ଚ ୧ ତାରିଖରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ନେଇ ଧରପଗଡ ଆରମ୍ଭ ହୋଇଯିବ । ଯାହା ଫଳରେ ମାର୍ଚ୍ଚ ପହିଲାରୁ ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ତ୍ରାହି । ମୋଟା ଅଙ୍କର ଜରିମାନ ସାଙ୍ଗକୁ ରଦ୍ଦ ହୋଇପାରେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ।

ତେବେ ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଫାଇନ ଦେବାକୁ ପଡିବ । ସେହିଭଳି ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୩ଶହ ଓ ତୃତୀୟ ଥର ଧରାପଡିଲେ ୫ ଶହ ଓ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ । ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବେ ଟ୍ରାଫିକ ବିଭାଗର କର୍ମଚାରୀ । ମୋବାଇଲରେ କଥା ହୋଇ ଗାଡି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ । କାରର ସିଟ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡିବ ।

ସେହିଭଳି ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିକୁ ବାଟ ନଛାଡିଲେ ୧୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାବ ବେହେରା ।