ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ଛାଉଁଣୀ । ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥାରେ ଅଭେଦ୍ୟ ଦୁର୍ଗ ପାଲଟିଲା ରାଜଧାନୀ, ଗଳିକନ୍ଦିରେ ନିୟୋଜିତ ହେଲେ ଯବାନ ।

168

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ସୈନ୍ୟ ଛାଉଁଣୀ ପାଲଟିଛି । ୧୦ ହଜାର ଯବାନ, ୧୫ କ୍ୟାମେରା, ଶତାଧିକ ସିସିଟିଭି, ଡ୍ରୋନ କ୍ୟାମେରା ଜରିଆରେ କଡା ସୁରକ୍ଷାର ବନ୍ଦୋବସ୍ତ କରିଛି ଦିଲ୍ଲୀ ପୁଲିସ । ଚଳିତ ବର୍ଷ, ସ୍ଥାନେ ସ୍ଥାନେ ଚେହେରା ଚିହ୍ନଟ ମେସିନ ଓ ଚଳତମାନ ମୋବାଇଲ କଂଟ୍ରୋଲ ରୁମ ଜରିଆରେ ଅଭେଦ୍ୟ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ସୁରକ୍ଷା ଛାଉଁଣୀରେ ଦିଲ୍ଲୀ । ଅଭେଦ୍ୟ ଦୁର୍ଗ ପାଲଟିଛି ରାଜଧାନୀ । ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା । ୧୦ ହଜାର ଯବାନ ମୁତୟନ ହୋଇଥିବା ବେଳେ ଚେହେରା ଚିହ୍ନଟ କରୁଥିବା ମେସିନ ଲଗାଇବା ସହ ଡ୍ରୋନ କ୍ୟାମେରା ଜରିଆରେ ନଜର ରଖିବ ଦିଲ୍ଲୀ ପୁଲିସ । ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଥିବା ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଦିଲ୍ଲୀ ପହଂଚିବା ପରେ, ଆହୁରି ବ୍ୟାପକ ହେବ ସୁରକ୍ଷା ବନ୍ଦୋବସ୍ତ ।

ଗଣତନ୍ତ୍ର ଦିବସ ସମାରୋହ ଅବସରରେ ସୁରକ୍ଷା ପାଇଁ ଚେହେରା ଚିହ୍ନଟ କରୁଥିବା ମେସିନ ଲଗାଇଛି ଦିଲ୍ଲୀ ପୁଲିସ । କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଆତଙ୍କବାଦୀଙ୍କୁ ଦେଖିବା ମାତ୍ରେ ଆଲାର୍ମ ବାଜି ଉଠିବ ଓ ସହଜରେ ସନ୍ଦିଗ୍ଧଙ୍କୁ କାବୁ କରିପାରିବ ପୁଲିସ । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଡାଟା ମେସିନରେ ଷ୍ଟୋର କରାଯାଇଥିବାରୁ ସେହି ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବ ମେସିନ ।

ରାଜପଥରୁ ପରେଡ ମାର୍ଗ ଯାଏଁ ଉଚ୍ଚ ଅଟ୍ଟାଳିକାରୁ ତୀକ୍ଷଣ ନଜର ରଖିବା ପାଇଁ ସାର୍ପର୍ସୁଟର ଓ ସ୍ନାଇପର ନିୟୋଜିତ ହେବେ । ଲାଲକିଲ୍ଲା, ଚାନ୍ଦନିଚୌକ, ଯମୁନା କାଦର ଅଂଚଳରେ ସୁରକ୍ଷା ଦୃଷ୍ଟିରୁ ଅତି କମରେ ୧୫୦ କ୍ୟାମେରା ଓ ଶତାଧିକ ସିସିଟିଭି କ୍ୟାମେରା ଖଂଜା ଯିବ । ଦିଲ୍ଲୀ ପୁଲିସର ସୂଚନା ଅନୁସାରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ଦିଲ୍ଲୀକୁ ଅଭେଦ୍ୟ ଗଡରେ ପରିଣତ କରାଯିବ । ଦିଲ୍ଲୀ ଜିଲ୍ଲାରେ ଅର୍ଦ୍ଧସାମରିକ ବଳର ୫୦ କମ୍ପାନୀ ଯବାନଙ୍କ ସହ ୫ ହଜାରରୁ ୬ ହଜାର ସୁରକ୍ଷାକର୍ମୀ ଶନିବାର ଅପରାହ୍ନରୁ ମୁତୟନ ହେବେ । ଡ୍ରୋନ କ୍ୟାମେରା ଜରିଆରେ ଆକାଶ ମାର୍ଗରୁ ପରେଡ ସ୍ଥଳ ସମେତ ସମଗ୍ର ଦିଲ୍ଲୀ ଉପରେ ନଜର ରଖିବାକୁ ବ୍ୟବସ୍ଥା ହୋଇଛି ।

ଗଣତନ୍ତ୍ର ଦିବସର ପରେଡ ସମୟରେ ଯେଉଁ ସ୍ଥାନ ଓ ଅଟ୍ଟାଳିକା ସମ୍ବେଦନଶୀଳ ଚିହ୍ନଟ ହୋଇଛି, ସେଠାରେ ବ୍ଲାକ କମାଣ୍ଡୋ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ । ଏହାଛଡା ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାକର୍ମୀ ପ୍ରସ୍ତୁତ ରହିବେ ।

ସେହିପରି ବ୍ୟସ୍ତବହୁଳ ବଜାର, ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ, ରେଳଷ୍ଟେସନ ଅଂଚଳରେ ପହରା ଦେବେ ଅତିରିକ୍ତ ଯବାନ ଓ ପୁଲିସ କର୍ମଚାରୀ । ଦିଲ୍ଲୀର ଗଳିକନ୍ଦିରେ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ କେନ୍ଦ୍ରୀୟ ସୁରକ୍ଷା ବଳର ୪୮ କମ୍ପାନୀ ଅର୍ଦ୍ଧ ସାମରିକ ବଳ । ଦିଲ୍ଲୀ ପୁଲିସର ୨୨ ହଜାର କର୍ମଚାରୀ ଶନିବାର ଅପରାହ୍ନରେ ଗଣତନ୍ତ୍ର ଦିବସ ସମାରୋହ ଶେଷ ହେବା ଯାଏଁ ପରେଡ ସ୍ଥାନଠୁ ଆରମ୍ଭ କରି ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ । ଏହାଛଡା ହୋଟେଲ, ଟ୍ୟାକ୍ସିବାଲା, ଅଟୋବାଲାଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ ପୁଲିସ ।