ସାଙ୍ଗ ସାଜିଲା ସଇତାନ ! କିଛି ଟଙ୍କା ପାଇଁ ଜଙ୍ଗଲକୁ ଡାକି ନେଇ ପଥରରେ ଛେଚି ସାଙ୍ଗକୁ ହତ୍ୟା କଲା ସାଙ୍ଗ । 

747

କନକ ବ୍ୟୁରୋ : ସାଙ୍ଗ ନେଇଗଲେ ସାଙ୍ଗର ଜୀବନ । ପ୍ରଥମେ ପଥର ଛେଚି ମାରିଦେଲେ ଆଉ ତାପରେ ଅପହରଣ ନାଟକ କରି ପରିବାରକୁ ୨ଲକ୍ଷ ଟଙ୍କା ଦାବି କରୁଥିଲେ । ତେବେ ପୋଲିସ ହାତରେ ଧରାପଡିଯାଇଛନ୍ତି ଏଭଳି ସଇତାନ ସାଙ୍ଗମାନେ । ଢେଙ୍କାନାଳରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ।

ଢେଙ୍କାନାଳ ବନମାଳୀପ୍ରସାଦ । ଗୁରୁବାର , ସକାଳ ପ୍ରାୟ ୧୦ଟା ।  ଗାଁ ନିକଟ କାଜୁ ଜଙ୍ଗଲରୁ ପୋଲିସକୁ ମିଳିଲା ଜଣେ ନାବାଳକର ରକ୍ତାକ୍ତ ମୃତଦେହ । ମୁଣ୍ଡରେ ଥିଲା ଗୁରୁତର କ୍ଷତ ଚିହ୍ନ । ପାରିପାଶ୍ୱର୍ିକ ଅବସ୍ଥାରୁ ଜଣାପଡୁଥିଲା ଏହା ଏକ ହତ୍ୟାକାଣ୍ଡ । ତଦନ୍ତ ପରେ ଜଣାପଡିଲା, ପ୍ରାୟ ତିନି ଦିନ ତଳେ ସଂପୃକ୍ତ ନାବାଳକ ପ୍ରାଣ ହରାଇଛନ୍ତି । ଯାହାର ନିଖୋଜ ଖବର ଦୁଇ ଦିନ ତଳେ ଥାନାରେ ଦେଇଥିଲେ ନାବାଳକର ବାପା ।

ସଂଗ୍ରାମ ପୃଷ୍ଟି । ବୟସ ପ୍ରାୟ ୧୭ ବର୍ଷ । ମାଟ୍ରିକ ପାସ୍ କରି ଯୁକ୍ତ ଦୁଇ ପଢିବାକୁ ପ୍ରସ୍ତୁତି କରୁଥିଲେ ସଂଗ୍ରାମ । ବାପା-ମାଆଙ୍କ ପାଖରେ ଯେତିକି ଗେହ୍ଲା ସେତିକିି ପ୍ରିୟ ସାଙ୍ଗସାଥୀଙ୍କର । ହେଲେ କିଏ ଜାଣିଥିଲା ସେହି ସାଙ୍ଗମାନେ ହିଁ ଦିନେ ତାର ଶତ୍ରୁ ପାଲିଟିଯିବେ । ସୋମବାର, ସନ୍ଧ୍ୟା ପ୍ରାୟ ସାଢେ ୫ଟା । ଅତି ଘନିଷ୍ଠ ଥିବା ସଂଗ୍ରାମଙ୍କ ତିନି ଜଣ ସାଙ୍ଗ ତାଙ୍କୁ ଘରୁ ଡାକିନେଇଥିଲେ । ବାଇକରେ ବସାଇ ମଦ ପିଈବାକୁ ନେଇଥିଲେ ଗାଁ ନିକଟ କାଜୁ ଜଙ୍ଗଲକୁ । ମଦ ପିଇ ସଂଗ୍ରାମ ନିଶାସକ୍ତ ହେବା ପରେ, ତିନି ଜଣ ସାଙ୍ଗ ବାଉଁଶରେ ତାଙ୍ଗ ମୁଣ୍ଡକୁ ବାରମ୍ବାର ପିଟିଥିଲେ । ଏବଂ ପରେ ପଥର ଛେଚି ହତ୍ୟା କରିଥିଲେ । ପରେ ମୋବାଇଲ୍ ନେଇ ଚମ୍ପଟ ମାରିଥିଲେ ଘଟଣାସ୍ଥଳରୁ ।

ମଙ୍ଗଳବାର , ସକାଳ ପ୍ରାୟ ସାଢେ ୭ଟା । ସଂଗ୍ରାମର ଫୋନରୁ ତାଙ୍କ ବାପାଙ୍କ ପାଖକୁ ଆସିଥଲା ଫୋନ୍ କଲ୍ । ଅଭିଯୁକ୍ତ ମାନେ ସଂଗ୍ରାମର ମୁଣ୍ଡ ଜାମିନ ରଖି ୨ ଲକ୍ଷ ଟଙ୍କା ମାଗିଥିଲେ । ଆଉ ଟଙ୍କା ନଦେଲେ ପୁଅକୁ ହତ୍ୟା କରିବାକୁ ଧମକ ଦେଇଥିଲେ ।  ପୁଅକୁ ଅପହରଣ ଓ ମୁଣ୍ଡ ଜାମିନ ନେଇ ମଙ୍ଗଳବାର ଥାନାରେ ଏତଲା ଦେଇଥିଲେ ସଂଗ୍ରାମଙ୍କ ବାପା । ପରେ ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ । ସାଙ୍ଗ ସଂଗ୍ରାମକୁ ଅପହରଣ ଓ ହତ୍ୟା କରିଥିବା ନେଇ ପୋଲିସ ଆଗରେ ମାନିଯାଇଛନ୍ତି ହତ୍ୟାକାରୀ । ଏବଂ କହିଛନ୍ତି ହତ୍ୟାକାଣ୍ଡର ପୁରା କାହାଣୀ । ଟଙ୍କା ପାଇଁ ସାଙ୍ଗମାନେ ହିଁ ନେଇଯାଇଛନ୍ତି ଜଣେ ସାଙ୍ଗର ଜୀବନ । ଚାଲିଯାଇଛି ସାଙ୍ଗ ଉପରେ ବିଶ୍ୱାସ କରୁଥିବା ଜଣେ ସାଙ୍ଗର ଜୀବନ ।