ଲାଲ ବାହାଦୁର ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ନେହେରୁଙ୍କ ମୃତ୍ୟୁ ହୋଇଯିବା କାରଣରୁ ୯ ଜୁନ୍ ୧୯୬୪ ରେ ତାଙ୍କୁ ଏହି ପଦରେ ମନୋନୀତ କରାଗଲା । ତାଙ୍କ ସ୍ଥାନ ଦ୍ୱିତୀୟ ଥିଲେ ବି ତାଙ୍କର ଶାସନ ଅଦ୍ୱିତୀୟ ଥିଲା । ଏମିତି ସାଧାରଣ ଓ ଶାନ୍ତ ବ୍ୟକ୍ତିତ୍ୱଙ୍କୁ ୧୯୬୬ରେ ଦେଶର ସବୁଠାରୁ ବଡ ସମ୍ମାନ ‘ଭାରତ ରତ୍ନ’ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶାସ୍ତ୍ରୀଜୀ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେ ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ପାଦ ଚିହ୍ନରେ ଚାଲୁଥିଲେ । ସେ ୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଦେଶକୁ ସମ୍ଭାଳି ଥିଲେ ଏବଂ ସେନାକୁ ସଠିକ୍ ମାର୍ଗଦର୍ଶନ ଦେଖାଇଥିଲେ ।

ଶାସ୍ତ୍ରୀଜୀଙ୍କ ଜନ୍ମ ୨ ଅକ୍ଟୋବର ୧୯୦୪ରେ ମୁଗଲସରାୟ(ଉତ୍ତରପ୍ରଦେଶ) ବ୍ରିଟିଶ ଭାରତରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ମୁନ୍ସୀ ଶାରଦା ପ୍ରସାଦ ଶ୍ରୀବାସ୍ତବ ଥିଲା । ସେ ପ୍ରାଥମିକ ଶାଳାର ଅଧ୍ୟାପକ ଥିଲେ ଓ ତାଙ୍କୁ ମୁନ୍ସୀଜୀ କହି ସମ୍ବୋଧିତ କରାଯାଉଥିଲା । ତାଙ୍କ ମାତାଙ୍କ ନାମ ରାମ ଦୁଲାରୀ ଥିଲା । ଛୋଟ ବେଳେ ଶାସ୍ତ୍ରୀଜୀଙ୍କୁ ପରିବାରର ସଦସ୍ୟମାନେ ‘ନହ୍ନେ’ କହି କି ଡାକୁଥିଲେ ।

ସ୍ୱାଧୀନତା ପାଇଁ ସଂଘର୍ଷ : ସ୍ୱାଧୀନତାର ଯୁଦ୍ଧରେ ଶାସ୍ତ୍ରୀଜୀ ‘ମର ନାହିଁ ମାର’ ନାରା ଦେଇଥିଲେ, ଯାହା ସମଗ୍ର ଦେଶରେ ସ୍ୱତନ୍ତ୍ରତାର ବହ୍ନିକୁ ତୀବ୍ର କରିଦେଇଥିଲା । ୧୯୨୦ରେ ଶାସ୍ତ୍ରୀଜୀ ସ୍ୱାଧୀନତାର ଲଢ଼େଇକୁ ଡେଇଁ ପଡିଲେ ଓ ‘ଭାରତ- ସେବକ ସଂଘ’ ର ସେବା ରେ ଯୋଡି ହୋଇଗଲେ । ସେ ଜଣେ ଗାନ୍ଧୀବାଦୀ ନେତା ଥିଲେ, ଯିଏକି ସଂପୂର୍ଣ୍ଣ ଜୀବନ ଦେଶ ଓ ଗରୀବଙ୍କ ସେବାରେ ନିୟୋଜିତ କରିଥିଲେ । ଯାହାର ଫଳସ୍ୱରୂପ ଅନେକ ଥର ତାଙ୍କୁ ଜେଲ ବି ଯିବାକୁ ପଡିଥିଲା । ସେ ସକ୍ରିୟ ଭାବେ ୧୯୨୧ରେ ଅସହଯୋଗ ଆନ୍ଦୋଳନ, ୧୯୩୦ରେ ଦାଣ୍ଡି ଯାତ୍ରା ଏବଂ ୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଭାରତରେ ସ୍ୱାଧୀନତାର ଲଢ଼େଇକୁ ତୀବ୍ର କରି ଦିଆଗଲା । ନେତାଜୀ ସୁଭାଷ ଚନ୍ଦ୍ର୍ର ବୋଷ ଆଜାଦ ହିନ୍ଦ ଫୈାଜ ଗଠନ କରି ତାହକୁ ‘ଦିଲ୍ଲୀ ଚଲୋ’ ନାରା ଦେଇଥିଲେ ଓ ଏହି ସମୟରେ ୮ ଅଗଷ୍ଟ ୧୯୪୨ରେ ଗାନ୍ଧୀଜୀ ‘ଭାରତ ଛାଡ ଆନ୍ଦୋଳନ’କୁ ତୀବ୍ର କରିଥିଲେ । ଏହି ସମୟରେ ଶାସ୍ତ୍ରୀଜୀ ଭାରତୀୟଙ୍କୁ ଜାଗ୍ରତ କରିବା ପାଇଁ ‘କର ବା ମର’ ନାରାରେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଆନ୍ଦୋଳନ ସମୟରେ ଶାସ୍ତ୍ରୀଜୀ ୧୧ ଦିନ ଲୁଚିକି ରହିଲେ, ପୁଣି ୧୯ ଅଗଷ୍ଟ ୧୯୪୨ରେ ତାଙ୍କୁ ଗିରଫ କରି ନିଆଗଲା ।