ସମ୍ମାନ ପରେ କିପରି ହେଲେ ହଟହଟା ? କନକ ନ୍ୟୁଜ ଆଗରେ ବଖାଣିଲେ ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ପୁଅ ସୁରେନ୍ଦ୍ର

20

କନକ ବ୍ୟୁରୋ : କିପରି ସମ୍ମାନର ଖୁସି ପାଣିରେ ମିଳେଇ ଯାଇଥିଲା । କନକ ନ୍ୟୁଜ ଆଗରେ ବଖାଣିଛନ୍ତି ଦୁଇ ଦିନ ପରେ ଘରକୁ ଫେରିଥିବା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପୁଅ ସୁରେନ୍ଦ୍ର ପଣ୍ଡା । କିପରି ଫେରିବା ବାଟରେ ସ୍ୱାମୀ, ସ୍ତ୍ରୀ, ପୁଅ ଓ ପରିବାରର ଅନ୍ୟ ଲୋକ ଅଲଗା ହୋଇ ଯାଇଥିଲେ କହିଛନ୍ତି ଜୟପୁରରେ ପହଁଚିବା ପରେ ସୁରେନ୍ଦ୍ର । ଏବେ ବି ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ତାଙ୍କ ସ୍ତ୍ରୀ ସୁଜାତା ପଣ୍ଡା ଘରକୁ ଫେରିନାହାନ୍ତି । ସେପଟେ ସୁରେନ୍ଦ୍ରଙ୍କ ପୁଅ ବାବୁଲିଙ୍କ ସଂପର୍କରେ କିଛି ବି ସୂଚନା ମିଳି ପାରିନାହିଁ । ସେ କେଉଁଠି ଅଛନ୍ତି, ଏ ନେଇ ଆଶଙ୍କାରେ ରହିଛନ୍ତି ପରିବାର ।

ଜୟପୁରରୁ ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପୁଅ, ବହୂ, ନାତି ଓ ନାତୁଣୀ ଜ୍ୱାଇଁ ଭୁବନେଶ୍ୱର ଆସିଥିଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସାମ୍ନାନିତ ହେବା ପାଇଁ । କିନ୍ତୁ ଫେରିବା ବାଟରେ ପୂରା ପରିବାର ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ବାଟବଣା ହୋଇଯାଇଥିବା ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବୋହୂ ଉତ୍କଳ ଏକ୍ସପ୍ରେସରେ ଚଢି ଯାଇଥିଲେ । ନିଜର ପରିବାର ଲୋକଙ୍କୁ ନପାଇ ଆତ୍ମହତ୍ୟା ମଧ୍ୟ ଉଦ୍ୟମ କରିଥିଲେ । ଏହି ଘଟଣା ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପ୍ରତି ଆମ ବ୍ୟବସ୍ଥା କେତେ ସମ୍ବେଦନଶୀଳ, ତାହା ମଧ୍ୟ ବଡ଼ ପ୍ରଶ୍ନ ଛିଡା କରିଛି ।

ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ହଟହଟା ହେବା ନେଇ ଖବର ପ୍ରସାରଣ ପରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସସମ୍ମାନେ ସଂଗ୍ରାମୀଙ୍କ ପରିବାରକୁ ଘରେ ଛାଡିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଅମର୍ଯ୍ୟାଦା ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ ବିଜେପିର ଏଭଳି କାର୍ଯ୍ୟକ୍ରମକୁ ଶସ୍ତା ରାଜନୀତି ବୋଲି କହି ପ୍ରଶ୍ନ କରିଛନ୍ତି । ସେପଟେ ବିଜେଡି ସମାଲୋଚନାର ଜବାବ ରଖିଛି ବିଜେପି ।