ଏସସିବିରୁ ଡିସଚାର୍ଜ ହେଲେ ସଂଗ୍ରାମୀ ଲକ୍ଷୀ ପଣ୍ଡାଙ୍କ ନାତି ବାବୁଲା ପଣ୍ଡା ! କୋରାପୁଟ ଓ କମିସନରେଟ ପୁଲିସରେ ଦିଆଗଲା ଜିମା

30

କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀ ଲକ୍ଷୀ ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କୁ ଆଜି କଟକ ଏସସିବିରୁ ଡିସଚାର୍ଜ କରାଯାଇଛି । ମେଡିକାଲରୁ ବାହାରିବା ପରେ ତାଙ୍କୁ ପୁଲିସ ଜିମା ଦିଆଯାଇଛି । ଗତ ମାସ ୧୬ ତାରିଖରେ ଭୁବନେଶ୍ୱରରେ ଲକ୍ଷୀ ପଣ୍ଡାଙ୍କ ଦାୟାଦଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ । ଏଥିରେ ସାମିଲ ହେବାକୁ ବାବୁଲା ତାଙ୍କ ବାପା ଓ ମାଙ୍କ ସହ ଜୟପୁରରୁ ଭୁବନେଶ୍ୱର ଆସିଥିଲେ ।

କିନ୍ତୁ ପରେ ଭୁବନେଶ୍ୱର ଷ୍ଟେସନରୁ କେଉଁଆଡେ ଚାଲିଯାଇଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା । ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ । ବାବୁଲାକୁ ବିଜେଡି ଲୁଚାଇ ରଖିଛି ବୋଲି ଅଭିଯୋଗ ଆଣିଥିଲା ବିଜେପି । ଶେଷରେ ଭୁବନେଶ୍ୱର ମଂଚେଶ୍ୱର ଅଂଚଳରୁ ବାବୁଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତି କରାଯାଇଥିଲା ।

ଏବେ ସେ ସୁସ୍ଥ ହୋଇ କଟକ ବଡ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।ଏସସିବି ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ ଏନେଇ ସୂଚନା ଦେଇଛନ୍ତି । ବାବୁଲା ମେଡିକାଲରୁ ଡିସଚାର୍ଜ ହେବା ପରେ ପୁଅକୁ ଫେରାଇଦେବାକୁ କାନ୍ଦି କାନ୍ଦି କହିଛନ୍ତି ମା ସୁଜାତା ପଣ୍ଡା । ପୁଲିସ ନଜଣାଇ ବାବୁଲାଙ୍କୁ ନେଇଯାଇଥିବା ସୁଜାତା ପଣ୍ଡା କହିଛନ୍ତି ।