ଜୀବନଯୁଦ୍ଧରେ ହାରିଗଲେ ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ । ୯୮ ବର୍ଷ ବୟସରେ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ।

368

କନକ ବ୍ୟୁରୋ: ଶେଷନିଦ୍ରାରେ ସ୍ୱାଧିନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ । ୯୮ ବର୍ଷ ବୟସରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ଦୀର୍ଘଦିନ ଧରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହ ଖରାପ ଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତାଙ୍କୁ ଏକ ଅଭିଜ୍ଞତା ସମ୍ପନ୍ନ ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ ହେଲେ ସ୍ୱାଧିନତା ପାଇଁ ସଂଗ୍ରାମ କରିଥିବା ଉତ୍କଳ ମାଟିର ସାହସୀ ପୁଅ ଜୀବନ ଯୁଦ୍ଧରେ ହାରିଗଲେ ।

ଶ୍ରୀ ପଟ୍ଟନାୟକ ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ଥିବା ବେଳେ ସାଂସଦ ଭାବେ ୩ ଥର ରାଜ୍ୟସଭାକୁ ସାଂସଦ ରୂପେ ମନୋନୀତ ହୋଇଥିଲେ । ସେ ୧୯୬୧, ୧୯୬୬ ଓ ୧୯୭୮ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଶ୍ରୀ ପଟ୍ଟନାୟକ ଥିଲେ କଂଗ୍ରେସ ଦଳର ଜଣେ ପୁରୁଖା ନେତା । ସେ ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ସ୍ୱର୍ଗତ ଭବାନୀ ପଟ୍ଟନାୟକ ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ଅନ୍ଧିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଜଣେ ବର୍ଷିଆନ ନେତାଙ୍କୁ ହରାଇବା ସହ କଂଗ୍ରେସ ଦଳ ଜଣେ ପୁରୁଖା ନେତାଙ୍କୁ ହରାଇଲା । ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ସବୁ ମହଲରୁ ଶୋକ ପ୍ରକାଶ ପାଇଥିବା ବେଳେ ଦଳମତ ନିର୍ବିଶେଷରେ ବହୁ ନେତା ତାଙ୍କର ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।