ମନ୍ଦିରରେ ଲାଗିଲା ଫ୍ରି ୱାଇଫାଇ ! ଭକ୍ତଙ୍କ ଖୁସି କହିଲେ ନ ସରେ

75

କନକ ବ୍ୟୁରୋ : ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଖୁସି ଖବର ।ଏବେ ମନ୍ଦିରରେ ମିଳିବ ଫ୍ରି ୱାଇଫାଇ ସେବା । ଝାଡଖଣ୍ଡର ବାବା ବୈଦ୍ୟନାଥ ଶିବ ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ଫ୍ରି ୱାଇଫାଇ ସେବା ଆରମ୍ଭ କରାଯାଇଛି । ମନ୍ଦିରକୁ ଆସୁଥିବା ଭକ୍ତ ଏହି ଫ୍ରି ୱାଇଫାଇ ସେବାର ଲାଭ ଓଠାଇପାରିବେ । ରିଲାଏନ୍ସ ଜିଓ ତରଫରୁ ମନ୍ଦିର ପରିସରରେ ଏହି ସେବା ଆରମ୍ଭ କରାଯାଇଛି । କେବଳ ମନ୍ଦିର ନୁହେଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଲୋକ ଏହାର ଫାଇଦା ଉଠାଇପାରିବେ । ଏଥିପାଇଁ ୫୫ଟି ଅତ୍ୟାଧୁନିକ ୱାଇଫାଇ ରାଉଟର ଲଗାଯାଇଛି ।

ମନ୍ଦିର ଠାରୁ ୨ଶହ ମିଟର ଦୂର ପରିଧି ଭିତରେ ମାଗଣା ୱାଇଫାଇର ଲାଭ ଉଠାଇପାରିବେ ଶ୍ରଦ୍ଧାଳୁ । ତେବେ ଖାସ୍ କରି ଶ୍ରାବଣ ମାସରେ ଜଳଲାଗି କରିବାକୁ ଆସୁଥିବା କାଉଡିଆ ଭକ୍ତଙ୍କ ଏଭଳି ସୁବିଧା କରାଯାଇଛି । ଏହି ସମୟରେ ଜଳଲାଗି କରିବାକୁ ଭକ୍ତମାନେ ଲମ୍ବା ଲାଇନରେ ଠିଆ ହୋଇଥାନ୍ତି । ତେଣୁ ଫ୍ରି ୱାଇଫାଇ ଜରିଆରେ ଏହି ସମୟରେ ଭକ୍ତମାନେ ରାମାୟଣ, ମହାଭାରତ ପରି ପୋଗ୍ରାମକୁ ବିନା ପଇସା ଖର୍ଚ୍ଚ କରି ଦେଖିପାରିବେ । ମନ୍ଦିର ପରିସରରେ ମୋବାଇଲ ନେଟୱାର୍କ ନଥିଲେ ମଧ୍ୟ ଭକ୍ତ ୱାଇଫାଇ ମାଧ୍ୟମରେ ନିଜ ପରିବାର , ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ କରି ପାରିବେ । ଏପରିକି ହ୍ୱାଟସଅପ, ମେସେଞ୍ଜର ଭଳି ସେବାର ମଧ୍ୟ ଫାଇଦା ଉଠାଇ ପାରିବେ ଶ୍ରଦ୍ଧାଳୁ । ଏଭଳି ସୁବିଧା ଉପଲବ୍ଧ ହେବା ପରେ ଭକ୍ତଙ୍କ ମହଲରେ ଆନନ୍ଦ ଖେଳି ଯାଇଛି ।

ବିଶ୍ୱପ୍ରସିଦ୍ଧ ବୈଦ୍ୟନାଥ ଶିବ ମନ୍ଦିରରେ ବର୍ଷତମାମ ଭକ୍ତଙ୍କ ଭିଡ ଲାଗି ରହିଥାଏ । କିନ୍ତୁ ଶ୍ରାବଣ ମାସରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭୋଳାବାବାଙ୍କ ଜଳାଭିଷେକ ପାଇଁ ପାଣିଭାର ଧାଇଁ ଆସିଥାନ୍ତି ଏହି ଶୈବ ପୀଠକୁ । ଏହି ପୀଠରେ ଥିବା ଶିବଲିଙ୍ଗର ଦର୍ଶନ ମାତ୍ରେ ସବୁ ପାପା ଧୋଇ ଯାଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ଅଛି । ଏହି ପୀଠରେ ମାତା ସତୀଙ୍କ ହୃଦୟ ପଡିଥିଲା । ତେଣୁ ଏହାକୁ ଶକ୍ତିପୀଠ ମଧ୍ୟ କୁହାଯାଏ ।