ରାଜ୍ୟ ସରକାର କରାଇବେ ମାଗଣା ହବିଷ ! ପୁରୀରେ ବିଧବା ଏବଂ ବୟସ୍କ ମହିଳାଙ୍କ ପାଇଁ ମାଗଣା ଖାଇବା, ରହିବା ଓ ପୂଜା ବ୍ୟବସ୍ଥା ।

60

କନକ ବ୍ୟୁରୋ : ଠିକ୍ ମାସକ ପରେ ଆରମ୍ଭ ହେବ କାର୍ତିକ ବ୍ରତ । କାର୍ତିକରେ ହବିଷ ବ୍ରତ ରଖି ରାଇଦାମୋଦରଙ୍କ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମିବ ହବିଷ୍ୟାଳୀଙ୍କ ଭିଡ । ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ରତଧାରୀ କିଭଳି ମାସକ ଯାକ ସୁବିଧାରେ ରହିବେ, ପୂଜାର୍ଚ୍ଚନା କରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ସହରର ୨ଟି ସ୍ଥାନରେ ଅସ୍ଥାୟୀ ରହଣି କେନ୍ଦ୍ର କରାଯାଉଛି ।

ମାଗଣାରେ ହବିଷ କରିବେ ହବିଷ୍ୟାଳୀ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା । କାର୍ତିକ ମାସରେ ହବିଷ କରିବା ପାଇଁ ପୁରୀରେ ବୟସ୍କ ମହିଳା ଓ ବିଧବାଙ୍କ ଭିଡ ଜମେ । ସେମାନଙ୍କ ସୁବିଧା ପାଇଁ ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ହବିଷ ବ୍ୟବସ୍ଥା କରାଯାଉଛି । ପୁରୀ ସହରର ୨ଟି ସ୍ଥାନରେ ରହିବା ବ୍ୟବସ୍ଥା କରୁଛି ପ୍ରଶାସନ । ପୁରୁଣା ଜେଲ ନିକଟରେ ଅସ୍ଥାୟୀ ଘର ନିର୍ମାଣ ହେଉଥିବା ବେଳେ ରେଳବାଇର ଅଭ୍ୟର୍ଥନା କୋଠାରେ ରହିବେ ହବିଷ୍ୟାଳି । ଏନେଇ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ତେବେ ଏଥିପାଇଁ ଆସନ୍ତା ଅକ୍ଟୋବର ୧ରୁ ୨୫ ତାରିଖ ମଧ୍ୟରେ ଆବେଦନ କରିପାରିବେ ହବିଷ୍ୟାଳୀ । ସେମାନଙ୍କ ପାଇଁ ମାଗଣା ଖାଇବା, ରହିବା, ପୂଜା ପାଇଁ ବ୍ୟବସ୍ଥା ହେବ ।

ଗତ ବର୍ଷ ପ୍ରାୟ ୨ହଜାର ୧୦୦ ହବିଷ୍ୟାଳୀ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ୨ହଜାର ୫୦୦ ଜଣ ଆବେଦନ କରିପାରନ୍ତି ବୋଲି ଆଶା ରଖିଛନ୍ତି ବିଭାଗୀୟ ଅଧିକାରୀ । ପ୍ରମୁଖ ଖବର କାଗଜରେ ଖୁବ ଶୀଘ୍ର ଆବେଦନ କରିବା ପାଇଁ ବିଜ୍ଞାପନ ପ୍ରକାଶ କରିବ ପୁରୀ ଜିଲ୍ଲା ପ୍ରଶାସନ । ପୁରୀରେ ହବିଷ କଲେ ୭ ଜନ୍ମର ପୂଣ୍ୟ ଅର୍ଜନ ହୁଏ ବୋଲି ଓଡିଆ ଘରେ ବିଶ୍ୱାସ ରହିଛି । ଚଳିତ ବର୍ଷ ଅକ୍ଟୋବରରୁ ୨୩ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ କାର୍ତିକ ବ୍ରତ ହେବ ।