ଏମିତି ଏକ ଆହାର କେନ୍ଦ୍ର । ଯେଉଁଠି ପ୍ଲାଷ୍ଟିକ ଦେଲେ ମିଳୁଛି ପେଟପୁରା ଖାଇବା, ଜାଣନ୍ତୁ କେଉଁଠି ଅଛି ଏଭଳି ଆହାର କେନ୍ଦ୍ର ।

351

କନକ ବ୍ୟୁରୋ : ଶାଢ଼ୀକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥାଏ କୋରାପୁଟର କୁନି ସହର କୋଟପାଡ଼ । ଏବେ କିନ୍ତୁ ଏହି ସହର କିଛି ବିଶେଷ ଅଭିଯାନ ପାଇଁ ଚର୍ଚ୍ଚା ପରିସରକୁ ଆସିଛି । କାରଣ ଆରମ୍ଭ ହୋଇଛି ପ୍ଲାଷ୍ଟିକ ଦିଅ, ପେଟେ ଖାଅ ଭଳି ସ୍ୱତନ୍ତ୍ର ଅଭିଯାନ। କୋଟପାଡ଼ ଏନଏସି ପକ୍ଷରୁ ଏଭଳି ନିଆରା ଅଭିଯାନ ଆରମ୍ଭ କରାଯାଇଛି । ଯାହାଫଳରେ ଏକ କିଲୋ ପ୍ଲାଷ୍ଟିକ ଦେବାଦ୍ଵାରା ପେଟେ ଖାଇବାକୁ ମିଳୁଛି । ଗତକାଲିଠାରୁ ଆହାର କେନ୍ଦ୍ରରେ ଏଭଳି ଏକ ଭିନ୍ନ ଅଭିଯାନ ଆରମ୍ଭ କରାଯାଇଛି।

ଯାହାଦ୍ୱାରା ପ୍ଲାଷ୍ଟିକ ବ୍ୟାଗ, ବୋତଲ, ଆଣି ଦେଲେ ୫ ଟଙ୍କିଆ ଆହାର ମିଳୁଛି । ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ କହିଛନ୍ତି ଯେ ପ୍ଲାଷ୍ଟିକ ଆବର୍ଜନା ଦ୍ୱାରା ଜୀବଜଗତ ଉପରେ କୁପ୍ରଭାବ ପଡୁଛି । ସେଥିପାଇଁ ପ୍ଲାଷ୍ଟିକ କୁପ୍ରଭାବରୁ ସମସ୍ତଙ୍କୁ ସୁରକ୍ଷା ଦେବାକୁ ଛୋଟ ପ୍ରୟାସ ଆରମ୍ଭ ହୋଇଛି ।

ଏଠାରେ ସୂଚନା ଥାଉ କି ରାସ୍ତାରେ ପଡିଥିବା ପ୍ଲାଷ୍ଟିକ ଗୋଟାଇ ଆଣିଲେ ପେଟପୁରା ମାଗଣା ଖାଦ୍ୟ ଦିଆଯିବା ନେଇ ଛତିଶଗଡ଼ର ଅମ୍ବିକାପୁରରେ କିଛିଦିନ ତଳେ ଏକ କାଫେର ଉଦଘାଟନ କରାଯାଇଥିଲା। ଏଠାରେ ଯଦି ଆପଣ ୫୦୦ ଗ୍ରାମ ପ୍ଲାଷ୍ଟିକ ନେଇ ଯାଆନ୍ତି ଜଳଖିଆ ମାଗଣାରେ ଖାଇବାକୁ ଦିଆଯାଉଛି । ଅମ୍ବିକାପୁରର ଏହି କାଫେରୁ ସଂଗ୍ରହ ହୋଇଥିବା ପ୍ଲାଷ୍ଟିକକୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯିବ।