ଆଖି ସହ ସାଙ୍ଘାତିକ ଖେଳ: ମାଗଣାରେ ଅପରେସନ କଲେ, ଆଖିରୁ ଦୃଷ୍ଟିଶକ୍ତି ନେଇଗଲେ । କାମାକ୍ଷାନଗରରୁ ଆସିଲା ଅପରେସନର ସାଙ୍ଘାତିକ ଚିତ୍ର ।

562

କନକ ବ୍ୟୁରୋ: ଆଖି ସହ ସାଙ୍ଘାତିକ ଖେଳ । ଅନ୍ଧାର ଆଣିଦେଲା ଅପରେସନ । ଢେଙ୍କାନାଳ କାମାକ୍ଷାନଗରରୁ ଆସିଛି ଆଖି ଅପରେସନର ସାଙ୍ଘାତିକ ଚିତ୍ର । ଦୁନିଆର ଆଲୁଅ ଦେଖିବା ପାଇଁ ଯେଉଁ ଅପରେସନ କରିଥିଲେ ସେହି ଅପରେସନ ଆଲୁଅ ବଦଳରେ ଆଣିଦେଲା ବହଳ ଅନ୍ଧାର । ଅପରେସନ ପୂର୍ବରୁ ଆଖିକୁ ଝାପ୍ସା ଝାପ୍ସା ଦିଶୁଥିଲା ହେଲେ ଅପରେସନ ପରେ ଏବେ ଆଦୌ ଦିଶୁନି । ଘରୋଇ ଡାକ୍ତରଖାନାର ମାଗଣା ସହାୟତା ୪ ଜଣ ମହିଳାଙ୍କ ପାଇଁ କାଳ ସାଜିଛି ।

ବଡବିଲା ଗାଁର ୪ ଜଣ ବୟସ୍କ ମହିଳାଙ୍କ ଆଖି ଅପରେସନ ପାଇଁ ଢେଙ୍କାନାଳ ସର୍ବେଶ୍ୱର ମେମୋରିଆଲ ଦୁଇ ଜଣ ଯୁବତୀ ସେମାନଙ୍କୁ ୪ ତାରିଖ ଦିନ ନେଇଯାଇଥିଲେ । ମାଗଣାରେ ଅପରେସନ କରି ସେମାନଙ୍କୁ ଦୁନିଆର ନୂଆ ଆଲୋକ ଦେଖାଇବାକୁ ପ୍ରତିଶ୍ରୁତି ଦେଇ ମେଡିକାଲ ନେଇଥିଲେ ଆଉ ଗତ ୭ ତାରିଖରେ ଅପରେସନ କରି ୮ ତାରିଖ ଦିନ ଘରକୁ ପଠାଇ ଦେଇଥିଲେ । ବାସ୍ ତା ପର ଠାରୁ ସେମାନଙ୍କୁ ଆଦୌ କିଛି ଦେଖା ଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି ।

ସେପଟେ ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ପୁଣି ଥରେ ଅପରେସନ କରି ଆଖିକୁ ଭଲ କରିବା ସେମାନଙ୍କ ପାଇଁ ଅସମ୍ଭବ । ତେଣୁ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି ୪ ମହିଳା । ତେବେ ଘରୋଇ ଚିକିତ୍ସାଳୟର ଏ ଖାମଖିଆଲି ସେବା ପାଇଁ ଦୃଷ୍ଟିଶକ୍ତି ହରାଇଥିବା ମହିଳାଙ୍କ ଖବର ଶୁଣି ବଡବିଲା ଗାଁରେ ପହଞ୍ଚିଥିଲେ କାମାକ୍ଷାନଗର ମେଡିକାଲର ଏକ ଟିମ୍ ।
ତେବେ ଅପରେସନ ନାଁରେ ଆଖି ସହ ସାଙ୍ଘାତିକ ଖେଳ ଖେଳିଥିବା ଉକ୍ତ ଘରୋଇ ଡାକ୍ତରଖାନାର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ କେଉଁ କାରଣରୁ ଏହା ହେଲା ତାହା ତଦନ୍ତ ହେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।