ବନ୍ଦ ହେବ ମାଗଣା କଲ୍‌ ଓ ଡାଟା ସେବା ! ‘ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ’(ଟ୍ରାଇ) କରୁଛି ବିଚାର

43

ମାଗଣାରେ କଲ୍‌ ଏବଂ ଡାଟା ବ୍ୟବହାର କରୁଥିବା ମୋବାଇଲ୍‌ ଗ୍ରାହକଙ୍କ ଖୁସି ବେଶି ଦିନ ରହି ନପାରେ । ଦୂରସଂଚାର କ୍ଷେତ୍ରର ନିୟାମକ ସଂସ୍ଥା ‘ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ’(ଟ୍ରାଇ) କଲ୍‌ ଏବଂ ଡାଟାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ଉପରେ ବିଚାର କରୁଛି । ଏ ନେଇ ଆଲୋଚନା କରିବା ପାଇଁ ଟ୍ରାଇ ଏବଂ ଦୂରସଂଚାର କଂପାନିଗୁଡ଼ିକ ମଧ୍ୟରେ ବୈଠକ ଚଳିତ ମାସ ୨୧ରେ ହେବ ।

ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କୁ ଜୀବନବ୍ୟାପୀ ମାଗଣା କଲ୍‌ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏବେ ଜିଓ ଏବଂ ଏୟାରଟେଲ୍‌ ଏହାର ଗ୍ରାହକମାନଙ୍କୁ ମାଗଣା କଲ୍‌ ଏବଂ ଡାଟା ସେବା ପ୍ରଦାନ କରୁଛନ୍ତି । ଯଦି କଲ୍‌ ଏବଂ ଡାଟାର ସର୍ବନିମ୍ନ ମୂଲ୍ୟ ଧାର୍ୟ୍ୟ କରିବା ନିଷ୍ପତ୍ତି ଟ୍ରାଇ ଗ୍ରହଣ କରିବ ତେବେ ଏହି କଂପାନିଗୁଡ଼ିକର ପରବର୍ତ୍ତି ପଦକ୍ଷେପ କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ।

ରିଲାଏନ୍ସ ଜିଓ ମାଗଣା ସେବା ପ୍ରଦାନ କରିବା ପରେ କେତେକ ପୁରୁଣା ମୋବାଇଲ୍‌ କଂପାନି କଲ୍‌ ଏବଂ ଡାଟାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବାକୁ ଟ୍ରାଇ ନିକଟରେ ବାରମ୍ବାର ଦାବି କରୁଛନ୍ତି । ସେମାନଙ୍କ ଦାବିକୁ ବିଚାରକୁ ନେଇ ୨୧ରେ କଂପାନିଗୁଡ଼ିକ ସହିତ ଆଲୋଚନା କରିବାକୁ ଟ୍ରାଇ ନିଷ୍ପତ୍ତି ଗ୍ରହଣ କରିଛି । ବୈଠକରେ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ କେଉଁ ଗଣିତ ବ୍ୟବହାର କରାଯିବ ତାହା ଟ୍ରାଇ ଜାଣିବାକୁ ଚାହିଁବ ।

ଯେଉଁ କଂପାନିଗୁଡ଼ିକ ମୂଲ୍ୟ ଧାର୍ଯ୍ୟକୁ ସମର୍ଥନ କରିବେ ସେମାନେ ନିଜର ପକ୍ଷ ଉପସ୍ଥାପନ କରିବେ । ଯେଉଁମାନେ ସମର୍ଥନ କରିବେ ନାହିଁ ସେମାନେ ମଧ୍ୟ କାହିଁକି ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ଯୁକ୍ତିଯୁକ୍ତ ନୁହେଁ ତାହା ମଧ୍ୟ ଜଣାଇବେ । ଦୂରସଂଚାର ଶିଳ୍ପର କିଛି ପ୍ରତିନିଧି ଗତମାସରେ ଟ୍ରାଇ ଏବଂ ଏକ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ସହିତ ପୃଥକ ପୃଥକ ଆଲୋଚନା ବେଳେ ଏହି କଥା ଉଠାଇଥିଲେ । ଏହି ବୈଠକରେ ଆଇଡିଆ ସେଲ୍ୟୁଲାର ପକ୍ଷରୁ କୁହାଯାଇଥିଲା ଯେ ଅତ୍ୟଧିକ କମ୍‌ ମୂଲ୍ୟ ଯୋଗୁଁ କଂପାନିଗୁଡ଼ିକ ବ୍ୟାପକ କ୍ଷତି ସହୁଛନ୍ତି ।

ଭଏସ୍‌, ଡାଟା ଏବଂ କଲ୍‌ର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କଲେ କଂପାନିଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ହୋଇପାରିବ ବୋଲି ଆଇଡିଆ ପକ୍ଷରୁ କୁହାଯାଇଛି । ଶ୍ରୀଲଙ୍କା, ଜିମ୍ବାୱେ ଏବଂ ବାଲାଂଦେଶରେ ସର୍ବନିମ୍ନ ମୂଲ୍ୟ ଧାର୍ୟ୍ୟ କରିବା ପ୍ରଥା ପ୍ରଚଳିତ ଥିବା କଂପାନି ବୈଠକରେ ଜଣାଇଥିଲା । ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ଦୂରସଂଚାର ସେବା କ୍ଷେତ୍ରରେ ପ୍ରବେଶ କରିବା ପରେ ଏତେ ସବୁ ସମସ୍ୟା ଅନ୍ୟ କଂପାନିଗୁଡ଼ିକ ପାଇଁ ଆରମ୍ଭ ହୋଇଛି ।

କଂପାନି ମାଗଣାରେ କଲ୍‌ ଏବଂ ଡାଟା ସେବା ପ୍ରଦାନ କରିବା ଦ୍ୱାରା ଅନ୍ୟ କଂପାନିଗୁଡ଼ିକର ରାଜସ୍ୱ ଗୁରୁତର ଭାବେ ପ୍ରଭାବିତ ହୋଇଛି । ପୁୁରୁଣା କଂପାନିଗୁଡ଼ିକ ଋଣ ଶୁଝିବାରେ ସମସ୍ୟା ସାମ୍ନା କରୁଛନ୍ତି । ସେମାନଙ୍କ ମୁଣ୍ଡ ଉପରେ ଏବେ ୪.୬ ଲକ୍ଷ କୋଟି ଟଙ୍କାର ଋଣ ବୋଝ ରହିଛି । ଦେଶରେ ୪ଜି ମୋବାଇଲ୍‌ ସେବା ଆରମ୍ଭ ହେବା ପରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା କଲ୍‌ ଏବଂ ଡାଟା ଅଫର୍‌ ଯୁଗ ଆରମ୍ଭ ହୋଇଥିଲା । ଜିଓ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ।