ଶହେ କୋଟିର ରାଣୀ ! ଇ-ବୁକ୍ ପ୍ରୋଜେକ୍ଟ ପାଇଁ ୫ଶହ ଜଣଙ୍କୁ ଠକି ହୋଇଗଲେ ଫେରାର୍

42

କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ସ୍ମାର୍ଟ ଠକେଇ । ଶିକ୍ଷିତ ଯୁବକ ଯୁବତୀଙ୍କୁ ଭୁଆଁ ବୁଲାଇ ଠକି ନେଲେ କୋଟି କୋଟି ଟଙ୍କା । ମୁଦ୍ରିତ ପୁସ୍ତକକୁ ଇ-ପୁସ୍ତକରେ ରୁପାନ୍ତରିତ କରିବାର ପ୍ରୋଜେକ୍ଟ ନାଁରେ ହରିଲୁଟ୍ କରି ଗାଏବ୍ ହୋଇଯାଇଛନ୍ତି ଏହି ସଂସ୍ଥା ଚଳାଉଥିବା ମାଷ୍ଟର ମାଇଣ୍ଡ । ଆଉ ଏବେ ଟଙ୍କା ଫେରି ପାଇବା ପାଇଁ ପୁଲିସ୍ ପାଖରେ ଫେରାଦ ହୋଇଛନ୍ତି ଠକେଇର ଶିକାର ହୋଇଥିବା ଯୁବକ-ଯୁବତୀ ।

ଦେଖନ୍ତୁ କେମିତି ହେଉଛି ପ୍ରାୟ ଶହେ କୋଟିର ଦୁର୍ନୀତି :

ଇ ବୁକ୍ ସ୍କାନିଂ ପ୍ରୋଜେକ୍ଟ ଅର୍ଥାତ୍ ଦେଶବିଦେଶର ଲୋକପ୍ରିୟ ମୁଦ୍ରିତ ପୁସ୍ତକକୁ ଡିଜିଟାଲ ଭର୍ସନ୍ ପାଇଁ ପ୍ରସ୍ତୁତ କରିବା ଥିଲା କଂପାନୀର କାମ । ଏଥିପାଇଁ ପ୍ରତି ପୃଷ୍ଠା ପାଇଁ ନିର୍ଦ୍ଧାରିତ ହୋଇଥିଲା ୧୦ ଟଙ୍କା । ଆଉ ଲକ୍ଷାଧିକ ପେଜର ସ୍କାନିଂ ପାଇଁ ମୋଟା ଅଙ୍କର ପ୍ରଲୋଭନ ଦେଖାଇ, ପ୍ରୋଜେକ୍ଟ ନେବା ପାଇଁ ଚାହୁଁଥିବା ଯୁବକ ଯୁବତୀଙ୍କଠାରୁ ଏହି ସଂସ୍ଥା ସିକ୍ୟୁରିଟି ମନି ବାବଦରେ ୪ଲକ୍ଷରରୁ ୮ ଲକ୍ଷ ଟଙ୍କା ନେଉଥିଲା । ଆଉ ଏହି ଭଳି ୫ଶହରୁ ଉଦ୍ଧ୍ୱର୍ ଲୋକଙ୍କ ଠାରୁ ସିକ୍ୟୁରିଟି ଟଙ୍କା ନେଇ ଗାଏବ୍ ହୋଇଯାଇଛି ଏହି ସଂସ୍ଥା ।

ଏପିଏସ୍ ବା ଅଲ୍ ପ୍ରୋସେସ୍ ସୋର୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡର ଫାଇନାନସିଆଲ୍ ଆଡଭାଇଜର୍ ଥିଲେ ଫେରାର୍ ଯୁବତୀ ଜଣକ । ଆଉ ତାଙ୍କ ସହ ଏହି କାରସାଦିରେ ସାମିଲ୍ ଥିଲେ ସଂସ୍ଥାର ନିର୍ଦ୍ଦେଶକ ରାଘବେନ୍ଦ୍ର ସିଂହ ସାଲୁଜା, ମ୍ୟାନେଜର ରଜନୀକାନ୍ତ ବିଶ୍ୱାଳ, ଓଡ଼ିଶା ହେଡ୍ ନିଖିଳ ପ୍ରକାଶ ।

ସ୍ମାର୍ଟ ସିଟିର ଏହି ସ୍ମାର୍ଟ ଠକଙ୍କୁ ଧରିବା ପାଇଁ ଏବେ ରାଜଧାନୀ କ୍ୟାପିଟାଲ୍ ଥାନା ଏବଂ ଖାରବେଳ ନଗର ଥାନରେ ୨ଟି ମାମଲା ରୁଜୁ ହୋଇଛି । ଆଉ ଏମାନଙ୍କୁ ଧରିବା ପାଇଁ ଖୋଳତାଡ ଆରମ୍ଭ କରିଛି ପୁଲିସ୍ ।