ଏସବିଆଇ ନାଁରେ ଲୋକମାନଙ୍କ ପାଖକୁ ଆସୁଛି ଫ୍ରଡ ମେସେଜ ! ଗୋଟିଏ ଏସଏମଏସ ପାଇଁ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ।

24

ଦେଶରେ ଅନଲାଇନ୍ କାରବାର ଦିନକୁ ଦିନ ବଢିଚାଲିଛି । ଏହା ସହ ଦେଶରେ ଆର୍ଥିକ ଠକେଇ ମଧ୍ୟ ବଢୁଛି । ଏହି ଠକେଇକୁ ନଜରରେ ରଖି ମଙ୍ଗଳବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି । ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ( ଏସବିଆଇ ) ଏହି ଚେତାବନୀରେ କହିଛି ଯେ, ବ୍ୟାଙ୍କ ନାମରେ ଏକ ଫର୍ଜି ଏସଏମଏସ୍ ଗ୍ରାହକମାନଙ୍କୁ ପଠାଯାଉଛି । ଆଉ ଏହି ଏସଏମଏସ୍ ଦ୍ୱାରା ଗ୍ରାହକମାନଙ୍କୁ ସେମାନଙ୍କର ବ୍ୟାଙ୍କ ସହ ଯୋଡି ହୋଇଥିବା ଅନେକ ଜରୁରୀ ସୂଚନା ମଗାଯାଉଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କର ସୂଚନା ଏସଏମଏସ୍ ମାଧ୍ୟମରେ ମଗାଯାଏ ନାହିଁ । ବ୍ୟାଙ୍କ କହିଛି ଯେ, ଯଦି କୌଣସି ଗ୍ରାହକ ଭୁଲବଶତଃ ନିଜର ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି, ତେବେ ସେମାନେ ତୁରନ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଏହା ବିଷୟରେ ଅବଗତ କରାନ୍ତୁ । ଏସବିଆଇର ସୂଚନା ଅନୁଯାୟୀ, ଗ୍ରାହକମାନଙ୍କ ପାଖକୁ ଯେଉଁ ମେସେଜ୍ ଆସୁଛି ସେଥିରେ ଲେଖାଯାଇଛି ଯେ, ଆପଣଙ୍କ କ୍ରେଡିଟ୍ କାର୍ଡ ରିୱାର୍ଡ ପଏଣ୍ଟସ ଅମୁଖ ତାରିଖରେ ଏକ୍ସପାୟାର ହୋଇଯିବ । ଏହି ମେସେଜରେ ଆପଣଙ୍କର ରିୱାର୍ଡ ପଏଣ୍ଟସକୁ କ୍ୟାସରେ ବଦଳାଇବା ପାଇଁ ମଧ୍ୟ କୁହାଯାଉଛି । ଏସବିଆଇ ଲୋକମାନଙ୍କୁ ଏପରି ଫ୍ରଡରୁ ବଞ୍ଚିବା ପାଇଁ ସଚେତନ କରିଛି । ଏହା ସହ ବ୍ୟାଙ୍କ କହିଛି ଯେ, ଯଦି ଆପଣ ଏହି ଫ୍ରଡର ଶିକାର ହୋଇସାରିଛନ୍ତି ଏବଂ ନିଜ ସୂଚନା ସେୟାର କରିଛନ୍ତି ତେବେ ତୁରନ୍ତ ବ୍ୟାଙ୍କକୁ ଏବାବଦରେ ସୂଚନା ଦିଅନ୍ତୁ ।