ନାଁ ଭଗବାନ କିନ୍ତୁ କାମ ସୈତାନ ! ଚାକିରି ଦେବା ନାଁରେ ଯୁବତୀଙ୍କୁ ଲୁଟିଲେ

42

କନକ ବ୍ୟୁରୋ : ନାଁ ଭଗବାନ କିନ୍ତୁ କାମ ସୈତାନ ଭଳି । ଚାକିରି ନାଁରେ ଲକ୍ଷାଧିକ ଟଙ୍କାର ଠକେଇ । ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ କଳାହାଣ୍ଡି ଜିଲ୍ଲା ମୁସ୍କୁଟି ଗାଁର ଭଗବାନ ଦାଶ ନାମକ ଜଣେ ଯୁବକ ପ୍ରାୟ ୪ଲକ୍ଷ ୫୦ହଜାର ଟଙ୍କା ଠକିନେଇଥିବା କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତକୁ ଅଟକ ରଖିଛି । ଗଂଜାମ ଜିଲ୍ଲାର ଭଂଜନଗରର ସସ୍ମିତା ପଣ୍ଡାଙ୍କୁ ଏଫସିଆଇରେ ଚାକିରି କରାଇ ଦେବା ନାଁରେ ୪ଲକ୍ଷ ୫୦ହଜାର ଟଙ୍କା ନେଇ ମିଥ୍ୟା ନିଯୁକ୍ତି ପତ୍ର ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତ ଭଗବାନ ଦାଶ ଭୁବେନଶ୍ୱରରେ ବିଟିଏସ ମିନେରାଲ୍ସ ନାମକ ଏକ ସଂସ୍ଥା ଖୋଲି ବେକାର ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେଉଥିବା କହିଥିଲେ । ସ୍ମସିତା ଏହି ସଂସ୍ଥା ବିଷୟରେ କିଛି ନ ବୁଝି ପଡିଯାଇଥିଲେ ଏହି ଦଲାଲର ହାବୁଡରେ । ସସ୍ମିତା ଏହି ସଂସ୍ଥାକୁ ଆସିବା ପରେ ଏଫସିଆଇରେ ଚାକିରି କରିବା ପାଇଁ ତାଙ୍କଠାରୁ ୪ଲକ୍ଷ ୫୦ହଜାର ଟଙ୍କା ମାଗିଥିଲେ ଅଭିଯୁକ୍ତ । ସସ୍ମିତା ଟଙ୍କା ଦେବା ପରେ ଆଉ ଧରାଛୁଁଆ ଦେଇନଥିଲେ ଅଭିଯୁକ୍ତ । ଏନେଇ ମାନବାଧିକାର ମହିଳା କାଉନସିଲରଙ୍କ ଦ୍ୱାରସ୍ଥ ହୋଇଥିଲେ ସସ୍ମିତା । ପରେ ମାନବଧିକାର କାଉନସିଲରଙ୍କ ସହାୟତାରେ କେସିଙ୍ଗା ଥାନାରେ ଏତଲା ଦିଆଯାଇଥିଲା । ପରେ ପୋଲିସ ମୁସ୍କୁଟି ଅଂଚଳରେ ଚଢାଉ କରି ଅଭିଯୁକ୍ତକୁ ଅଟକ ରଖିଛି । କେବଳ ସସ୍ମିତା ନୁହଁନ୍ତି ଅନ୍ୟ କିଛି ଯୁବକ ଯୁବତୀ ମାନେ ମଧ୍ୟ ଭଗବାନଙ୍କ ଫାଶରେ ପଡିଛନ୍ତି । ସସ୍ମିତାଙ୍କ ବ୍ୟତୀତ ଅନ୍ୟ ମାନଙ୍କଠାରୁ ଭଗବାନ ପ୍ରାୟ ୧୯ଲକ୍ଷ ଟଙ୍କା ଠକିଥିବା ଜଣାପଡିଛି ।