ଚାକିରି ଦେବା ନାଁରେ କୋଟି କୋଟି ଟଙ୍କାର ଠକେଇ: ଖଣ୍ଡଗିରି ଥାନାରେ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ

43

କନକ ବ୍ୟୁରୋ : ଚାକିରି ଦେବା ନାଁରେ ଠକେଇ । ଜଣେ କି ଦିଜଣ ନୁହେଁ ପାଖାପାଖି ୬ ଶହ ପିଲାଙ୍କଠାରୁ କୋଟି କୋଟି ଟଙ୍କାର ଠକେଇ । ମିଛ ଅଫିସ ଖୋଲି ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରାୟ ୬ ଶହ ପିଲାଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି । ବ୍ୟାଙ୍କରେ ଚାକିରି ଦେବାକୁ କହି ଜଣପିଛା ୫୦ ହଜାର ଲେଖାଏଁ ନେଇଛନ୍ତି କାହ୍ନୁ ଜେନା । ୩ କୋଟିରୁ ଉର୍ଦ୍ଧ ଟଙ୍କା ଠକିନେବା ପରେ ଆଉ ଧରାଛୁଆଁ ଦେଉନାହାନ୍ତି । ଟଙ୍କା ଫେରସ୍ତ ମାଗିଲେ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଥିବା ଥାନାରେ ଅଭିଯୋଗ ହୋଇଛି ।

ପ୍ରକୃତ କଥା ହେଲା ଚାକିରି ଦେବାପାଇଁ ପ୍ରାର୍ଥୀଙ୍କ ସହ ଚୁକ୍ତି କରାଗଲା । ସେମାନଙ୍କୁ ପରିଚୟ ପତ୍ର ବି ମିଳିଲା । ରାଜ୍ୟର ବିଭିନ୍ନ ବ୍ୟାଙ୍କରେ ମାସେ, ଦୁଇମାସ କାମ ବି କଲେ କିନ୍ତୁ ମାସ ଶେଷରେ ଦରମା ମିଳିଲା ନାହିଁ । କଟକରେ ଅଫିସ ଖୋଲି ବସିଥିବା କାହ୍ନୁ ଜେନାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନାଁରେ ଥିବା ଏଟିଏମ କାର୍ଡ ଓ କିଛି ଚେକ ଦେଇଥିଲେ ସେ । ହେଲେ ଏଟିଏମରୁ ଟଙ୍କା ବାହାରିଲା ନାହିଁ ଏବଂ ବ୍ୟାଙ୍କରେ ଚେକ ବାଉନ୍ସ ହେଲା । ଏନେଇ ଅଭିଯୋଗ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଲେ ଅଭିଯୁକ୍ତ ଜଣକ ।

କିନ୍ତୁ ଅଭିଯୁକ୍ତ କାହ୍ନୁ ଜେନା ଟଙ୍କା ନେବା କଥାକୁ ସିଧାସିଧା ଅସ୍ୱୀକାର କରିଛନ୍ତି । ଏପରିକି ବିନା ପାରିଶ୍ରମିକରେ କାମ କରିବା ପାଇଁ ସେମାନେ ଚୁକ୍ତି କରିଥିବା କାହ୍ନୁ କହିଛନ୍ତି । ଏବେ ଏଇ ମାମଲା ଭୁବନେଶ୍ୱର ଖଣ୍ଡଗିରି ଥାନାରେ ପହଂଚିଛି । ସବୁଠାରୁ ବଡକଥା ହେଉଛି ସଚେତନତା ଅଭାବରୁ ଚାକିରି ଖଣ୍ଡିଏ ପାଇଁ ଏଭଳି ଠକଙ୍କ ଫାସରେ ପଡୁଛନ୍ତି ଅନେକ ବେରୋଜଗାର ଯୁବତ ଯୁବତୀ ।

ଦେଖନ୍ତୁ ଏହି ଭିଡିଓ :