ଗିରଫ ହେଲା ରିୟଲ ଇଷ୍ଟେଟ୍ ମାଲିକ ସତ୍ୟବ୍ରତ ଧୀର୍ : ଫ୍ଲାଟ ଦେବା ନାଁରେ କରିଛି କୋଟି କୋଟି ଟଙ୍କା ଠକେଇ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଆଉ ଏକ ରିଅଲ ଇଷ୍ଟେଟ୍ ମହାଦୁର୍ନୀତିର ପର୍ଦ୍ଦାଫାସ । ପୁଲିସ ଜାଲରେ ପୁଣି ଠକ ବିଲଡର୍ । ସ୍ପ୍ରିଂ ସିଟିର ମାଲିକ ସତ୍ୟବ୍ରତ ଧୀର୍ । ତ୍ରିଷ୍ନା ସ୍କାଏ କ୍ରାପର୍ସ ନାଁରେ ସେ କୋଟି କୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ ରହିଛି । ଠକେଇର ଶିକାର ହୋଇଥିବା ଡାକ୍ତର ବିଶ୍ୱକେତନ ଦାଦବେବର୍ତାଙ୍କ ଅଭିଯୋଗକୁ ଭିତିକରି ପୁଲିସ ଗିରଫ କରିଛି ଏହି କୋଟିପତି ବିଲଡରଙ୍କୁ । ରାଜଧାନୀରେ ଘର ଖଣ୍ଡେ ପାଇବାକୁ ଜୀବନଯାକର ପୁଂଜି ଲଗାଇ ଦେଇଥିଲେ ବିଶ୍ୱକେତନ । ହେଲେ କାଗଜପତ୍ରରେ ରହିଯାଇଥିଲା ତାଙ୍କ ସ୍ୱପ୍ନ । ୮ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଫସିଯାଇଥିଲେ ସେ । ଶେଷରେ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ପୂର୍ବରୁ ଏଟି ଚିଟଫଣ୍ଡ ମାମଲାରେ କମିଶନରେଟ ପୁଲିସ ଜେରା କରି ସାରିଛି ସ୍ପ୍ରିଂ ସିଟିର ମାଲିକ ସତ୍ୟବ୍ରତ ଧୀରଙ୍କୁ । ତେବେ ରିୟଲ ଇଷ୍ଟେଟର ଏହି ବେତାଜ୍ ବାଦସାହା ନାଁରେ ଗ୍ରାହକଙ୍କୁ ଠଳିବା ଓ ଚେକ୍ ବାଉନସ ମାମଲାରେ ଭୁବନେଶ୍ୱରରେ ୪ଟି ଓ ବାଲେଶ୍ୱରରେ ୪ ଟି ୱରେଂଟ ମଧ୍ୟ ଜାରି ହୋଇଥିଲା । ହେଲେ କୋଟି କୋଟି ଟଙ୍କା ଠକେଇର ଅଭିଯୋଗ ଆସିବା ପରେ ବି ସତ୍ୟବ୍ରତକୁ ହାତ ମାରି ପାରୁ ନଥିଲା ପୁଲିସ୍ ।

ଏବେ ପ୍ରଶ୍ନ ଉଠୁଛି, କମିଶନରେଟ ପୁଲିସ ଆରମ୍ଭ କରିବ କି ଅପରେସନ ସ୍ପ୍ରିଂ ସିଟି । କୁହାଯାଉଛି ଭୁବନେଶ୍ୱର ଉପକଣ୍ଠ କଂଟାପଡା ଠାରେ ପ୍ରାୟ ୩୨ ଏକର ଜାଗାରେ ଆରମ୍ଭ ହୋଇଥିଲା ଏହି ବିରାଟ ରିୟଲ ଇଷ୍ଟେଟ ପ୍ରୋଜେକ୍ଟ । ଆଉ ସତ୍ୟବ୍ରତର ଟାର୍ଗେଟରେ ଥିଲେ ମଧ୍ୟବିତ ଗ୍ରାହକ । ଦାମ ଏମିତି ରଖିଥିଲା ଯେ ମାତ୍ର ୬ ମାସ ଭିତରେ ବୁକ୍ ହୋଇଯାଇଥିଲା ୩ ହଜାର ୨ ଶହ ଫ୍ଲାଟ୍ । ଆଉ ଅଗ୍ରୀମ ଆକାରରେ ସତ୍ୟବ୍ରତ ଲୁଟ କରି ସାରିଥିଲା ୭୦ କୋଟିରୁ ଅଧିକ ଟଙ୍କା । ତାରିଖ ପରେ ତାରିଖ ଦେଇ ଚାଲିଲା, ହେଲେ ପ୍ରୋଜେକ୍ଟ ଶେଷ ହେଲା ନାହିଁ କି ଲୋକେ ଟଙ୍କା ଫେରି ପାଇଲେ ନାହିଁ । ହୁଏତ ସତ୍ୟବ୍ରତର ଗିରଫଦାରୀ ପରେ ଖୋଲିବ ରାଜଧାନୀରେ ରିୟଲ ଇଷ୍ଟେଟ୍ କେଳେଙ୍କାରୀ ଆଉ ଏକ ଅଧ୍ୟାୟ । ହେଲେ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ଗ୍ରାହକ ସେମାନଙ୍କ ଟଙ୍କା ଫେରି ପାଇବେ ତ ।