ଫିଫା ବିଶ୍ୱକପ୍ ସେମି ଫାଇନାଲ ଟକ୍କର ! ଆଜି ବେଲଜିୟମକୁ ଭେଟିବ ଫ୍ରାନ୍ସ୍,ଜିତିବା ଟିମକୁ ମିଳିବ ଫାଇନାଲ ଟିକେଟ୍ । 

51

ଚଳିତ ଫିଫା ଫୁଟବଲ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଆଜି ଦୁଇ ୟୁରୋପୀୟ ଶକ୍ତି ଫ୍ରାନ୍ସ ଏବଂ ବେଲଜିୟମ୍ ମୁହାଁମୁହିଁ ହେବେ । ବିଜୟୀ ଦଳ ଫିଫା ଫାଇନାଲ ଖେଳିବ ଆଉ ପରାଜିତ ଦଳ ତୃତୀୟ ସ୍ଥାନ ପାଇଁ ଖେଳିବ । ୩୨ ବର୍ଷ ପରେ ବିଶ୍ୱକପର ସେମି ଫାଇନାଲ ଖେଳିବ ବିଲଜିୟମ । ଅନ୍ୟପକ୍ଷରେ ୧୯୯୮ର ସଫଳତାକୁ ଦୋହରାଇବାକୁ ଚେଷ୍ଟା କରିବ ଫ୍ରାନ୍ସ । ଚଳିତ ପ୍ରତିଯୋଗୀତାରେ ଏପର୍ଯ୍ୟନ୍ତ ବେଲଜିୟମ୍ ଖେଳିଥିବା ୫ଟି ମ୍ୟାଚରେ ୧୪ଟି ଗୋଲ୍ ଦେଇଥିବା ବେଳେ ମାତ୍ର ୫ଟି ବରଣ କରିଛି । ଅନ୍ୟପକ୍ଷରେ ଫ୍ରାନ୍ସ ୯ଟି ଗୋଲ୍ ଦେଇଥିବା ବେଳେ ୪ଟି ଗୋଲ୍ ଖାଇଛି । ବେଲଜିୟମ୍ ଶେଷ ଥର ପାଇଁ ୧୯୮୬ରେ ବିଶ୍ୱକପ୍ ସେମି ଫାଇନାଲ୍ ଖେଳିଥିଲା ।

ସେପଟେ ଫ୍ରାନ୍ସ ୨୦୦୬ ପରେ ପ୍ରଥମ ଥର ପାଇଁ ସେମିଫାଇନାଲ୍ ଲାଗି ଯୋଗ୍ୟତା ଅର୍ଜନ କରିଛି । ଏଯାଏଁ ଫ୍ରାନ୍ସ ୫ ଥର ବିଶ୍ୱକପ୍ ସେମି ଖେଳିଥିବା ବେଲେ ବେଲଜିୟମ୍ ଥରେ ମାତ୍ର ଖେଳିଛି । ବିଶ୍ୱକପ୍ ସେମିରେ ଥରୁଟିଏ ବି ଉଭୟ ଟିମ୍ ମୁହାଁମୁହିଁ ହୋଇନାହାଁନ୍ତି ।  ସେପଟେ ଫ୍ରାନ୍ସ ଥରେ ବିଶ୍ୱକପ୍ ବିଜୟୀ ହୋଇଛି । ତେବେ ବେଲଜିୟମ କେବେ ଚାମ୍ପିଅନ୍ ହୋଇନି । ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ଦୁଇଥର ଭେଟିଛନ୍ତି । ଏବଂ ଉଭୟ ଥର ଫ୍ରାନ୍ସ ବିଜୟୀ ହୋଇଛି ।  ଚଳିତ ଟୁର୍ଣ୍ଣାମେଂଟରେ ଫ୍ରାନ୍ସ ଲିଗ୍ ପର୍ଯ୍ୟାୟରେ ଅଷ୍ଟେଲିଆକୁ ୨-୧, ପେରୁକୁ ୧-୦ରେ ହରାଇଥିବା ବେଲେ ଡେନମାର୍କ ବିପକ୍ଷ ମ୍ୟାଚ୍ ଅମୀମାଂସିତ ରହିଥିଲା । ପ୍ରିକ୍ୱାର୍ଟରରେ ଆର୍ଜେଂଟିନାକୁ ୪-୩ ଏବଂ କ୍ୱାର୍ଟରରେ ଉରୁଗୁଏକୁ ୨-୦ରେ ମାତ୍ ଦେଇ ସେମିକୁ ଆସିଛି ଫ୍ରାନ୍ସ ।  ସେପଟେ ବେଲଜିୟମ ୍ତାର ଲିଗ୍ ପର୍ଯ୍ୟାୟରେ ପାନାମାକୁ ୩-୦, ଟ୍ୟୁନିସିଆକୁ ୫-୨ ଏବଂ ଇଂଲଣ୍ଡକୁ ୧-୦ରେ ମାତ୍ ଦେଇଛି । ସେହିପରି ପ୍ରିକ୍ୱାର୍ଟରରେ ଜାପାନକୁ ୩-୨ ଏବଂ କ୍ୱାର୍ଟରେ ବ୍ରାଜିଲକୁ ୨-୧ରେ ହରାଇ ସେମି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ବେଲଜିୟମ । ଉଭୟ ଦଳ ପରସ୍ପର ବିରୋଧରେ ୭୩ ଟି ମ୍ୟାଚ୍ ଖେଳିଥିବା ବେଲେ ବେଲଜିୟମ ୩୦ ଏବଂ ଫ୍ରାନ୍ସ ୨୪ଟି ମ୍ୟାଚ୍ ଜିତିଛନ୍ତି । ୧୯ ଟି ମ୍ୟାଚ୍ ଅମୀମାଂସିତ ରହିଛି । ପରିସଂଖ୍ୟାନରେ ବେଲଜିୟମ ପଲ୍ଲା ଭାରି ରହିଛି । ଆଉ ଫେଭରାଇଟ୍ ରହିଛି ଫ୍ରାନ୍ସ ।