ଧରା ଦେଉନି ‘ସୁନ୍ଦରୀ’। ତୃତୀୟ ଦିନରେ ବାଘୁଣୀକୁ ଧରିବାକୁ ପୁଣି ଅପରେସନ୍ ଆରମ୍ଭ । ରେଡିଓ କଲାର ଜରିଆରେ ଗତିବିଧି ଉପରେ ନଜର

35

କନକ ବ୍ୟୁରୋ: ଧରା ଦେଉନି ସୁନ୍ଦରୀ । ତୃତୀୟ ଦିନରେ ବାଘୁଣୀକୁ ଧରିବାକୁ ପୁଣି ଅପରେସନ୍ ଆରମ୍ଭ ହୋଇଛି । ରେଡିଓ କଲାର ଜରିଆରେ ସୁନ୍ଦରୀର ଗତିବିଧି ଉପରେ ନଜର ରଖାଯାଇଛି । ଗତକାଲି ମଧ୍ୟ ସୁନ୍ଦରୀକୁ କାବୁ କରିବାକୁ ଉଦ୍ୟମ ବିଫଳ ହୋଇଥିଲା । ରକ୍ତମୁଖା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ହୋଇଥିଲା । ରାତି ଅନିଦ୍ରା ହୋଇ ସାତକୋଶିଆରେ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି ।

ଏପରିକି ମଂଚା ତଳେ ଛେଳି ବାନ୍ଧି ସୁନ୍ଦରୀକୁ କାବୁ କରିବା ପାଇଁ ଉଦ୍ୟମ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ବନବିଭାଗର ସବୁ ପ୍ରକାର ଉଦ୍ୟମକୁ ମାତ୍ ଦେଇ କୁମୁରୀ ଗାଁରୁ ନୂଆସାହି ଅଂଚଳକୁ ଡିଆଁ ମାରିଥିଲା ବାଘୁଣୀ । ନୂଆସାହି ନିକଟସ୍ଥ ଏକ ପଥର ଖୋଲ ଲତାବୁଦାରେ ଲୁଚି ରହିବା ପରେ ପୁଣି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ।

କୁମୁରୀ ଅଂଚଳରେ ଘୁରିବୁଲୁଥିବା ବାଘୁଣୀର ଗତିବିଧିକୁ ରେଡିଓ କଲାର ଜରିଆରେ ନଜର ରଖାଯାଇଛି । ଆଉ ସୁନ୍ଦରୀକୁ କାବୁ କରିବା ପରେ ପୁଣି ଥରେ ଏନ୍କ୍ଲୋଜର ଭିତରକୁ ଅଣାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ବାଘୁଣୀ କାବୁ ହେଉ ନଥିବାରୁ ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।