ବିଏସପି ନେତା ହତ୍ୟା ମାମଲା ! ଆତ୍ମଘୋଷିତ ଧର୍ମଗୁରୁ ପ୍ରତିଭାନନ୍ଦ ଗିରଫ

22

କନକ ବ୍ୟୁରୋ: ପ୍ରତ୍ୟେକ ଦିନ ଆତ୍ମଘୋଷିତ ଧର୍ମଗୁରୁମାନଙ୍କୁ ନେଇ ବିଭିନ୍ନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି । ଆତ୍ମଘୋଷିତ ଧର୍ମଗୁରୁ ବାବା ରାମ ରହିମ ସାଧ୍ୱୀ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗିବାପରେ ଏବେ ଅନ୍ୟ ଜଣେ ଆତ୍ମଘୋଷିତ ଧର୍ମଗୁରୁ ପ୍ରତିଭାନନ୍ଦଙ୍କ ପାଳି ପଡ଼ିଛି । ୨୦୧୩ରେ ବିଏସପି ନେତା ଦୀପକ ଭରଦ୍ୱାଜଙ୍କୁ ହତ୍ୟା ମାମଲାରେ ଗାଜିଆବାଦ୍ ପୁଲିସ ଆତ୍ମଘୋଷିତ ଧର୍ମଗୁରୁ ବାବା ପ୍ରତିଭାନନ୍ଦଙ୍କୁ ଗିରଫ କରିଛି । ବହୁଜନ ସମାଜ ପାର୍ଟି ନେତା ଏବଂ ବ୍ୟବସାୟୀ ଦୀପକ ଭରଦ୍ୱାଜଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ବାବା ପ୍ରତିଭାନନ୍ଦଙ୍କୁ ଖୋଜୁଥିଲା ।

ତଦନ୍ତରୁ ଜଣାଯାଇଛି ଯେ, ବାବା ପ୍ରତିଭାନନ୍ଦ ଭରଦ୍ୱାଜଙ୍କୁ ମାରିବାପାଇଁ ଠିକା ହତ୍ୟାକାରୀଙ୍କୁ ଲଗାଇଥିଲେ । ଭରଦ୍ୱାଜ ୨୦୦୯ ଉତ୍ତରପ୍ରଦେଶ ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ଥିଲେ ଏବଂ ତାଙ୍କର ୬୦୦ କୋଟି ଟଙ୍କାର ସମ୍ପତ୍ତି ଥିଲା ବୋଲି ଘୋଷଣା ହୋଇଥିଲା । ତେବେ ୨୦୧୩ ମାର୍ଚ୍ଚ ୨୬ରେ ତାଙ୍କୁ ତାଙ୍କ ୩୫ ଏକର ବିଶିଷ୍ଟ ଦକ୍ଷିଣ ଦିଲ୍ଲୀର ରାଜକୋରି ଫାର୍ମହାଉସ୍ ବାହାରେ ମାରିଦିଆଯାଇଥିଲା । ଭରଦ୍ୱାଜଙ୍କ ହତ୍ୟା ମାମଲାରେ ତାଙ୍କ ସାନ ପୁଅ ସମ୍ପୃକ୍ତ ଥିବା ଏବଂ ସେ ହିଁ ପ୍ରତିଭାନନ୍ଦଙ୍କ ଦ୍ୱାରା ହତ୍ୟାକାରୀଙ୍କୁ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା କରିଥିଲେ ବୋଲି ସ୍ୱିକାର କରିଥିଲେ ।

ଜମି ବିବାଦ ନେଇ ତାଙ୍କର ତାଙ୍କ ବାପାଙ୍କ ବିରୋଧରେ ପ୍ରବଳ ରାଗ ଥିଲା ଏବଂ ସେହି ରାଗରେ ସେ ତାଙ୍କ ବାପାଙ୍କୂ ମାରିବାକୁ ପଛାଇ ନଥିଲେ । ତେବେ ମହାରାଷ୍ଟ୍ରର ବିଡରେ ମଚେନ୍ଦ୍ରନାଥ ଓରଫ ପ୍ରତିଭାନନ୍ଦଙ୍କ ନିଜ ଘର ହୋଇଥିବାବେଳେ ସେ ଦିଲ୍ଲୀ ଆସି ଏକ ମନ୍ଦିରରେ ବାବା ହୋଇଯାଇଥିଲେ । ବିଏସପି ନେତା ଦୀପକ ଭରଦ୍ୱାଜଙ୍କୁ ହତ୍ୟା ଲାଗି ସେ ୫ କୋଟି ଟଙ୍କା ଦାବି କରିଥିଲେ ଏବଂ ସେହି ଟଙ୍କାରେ ସେ ନିଜର ଏକ ଆଶ୍ରମ ନିର୍ମାଣ କରିବାର ଯୋଜନା କରିଥିଲେ । ତେବେ ବିଏସପି ନେତାଙ୍କ ହତ୍ୟାପରେ ପ୍ରତିଭାନନ୍ଦ ଫେରାର ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କୁ ଦିଲ୍ଲୀ ପୁଲିସ ଖୋଜୁଥିଲା । ଗତକାଲି ଗାଜିଆବାଦରୁ ତାଙ୍କ ଗିରଫ କରିବା ସମୟରେ ପୁଲିସ ତାଙ୍କ ନିକଟରୁ ଏକ ପିସ୍ତଲ ମଧ୍ୟ ଉଦ୍ଧାର କରିଛି ।