ବାହାରିପାରେ ସୁପ୍ରିମକୋର୍ଟ ଜଜ ବିବାଦର ସମାଧାନ । ପ୍ରଧାନ ବିଚାରପତି ଡାକିପାରନ୍ତି ବୈଠକ

20

କନକ ବ୍ୟୁରୋ: ସୁପ୍ରିମକୋର୍ଟ ବିବାଦର ଆଜି ହୋଇପାରେ ସମାଧାନ । ମିଳିଥିବା ଖବର ଅନୁସାରେ , ପ୍ରଧାନ ବିଚାରପତି ଦୀପକ ମିଶ୍ର ଆଜି ୪ ଜଣ ବିଚାପରତିଙ୍କ ସହ ଆଲୋଚନା କରି ସମାଧାନର ସୁତ୍ର ବାହାର କରିପାରନ୍ତି ।  ସେପଟେ ବିବାଦ ନେଇ ଦୀପକ ମିଶ୍ର ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି, ସୁପ୍ରିମକୋର୍ଟରେ ସବୁ ବିଚାରପତି ସମାନ ।

ଗତକାଲି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଦଳ କହିଛି- ଏହା ସୁପ୍ରିମକୋର୍ଟର ଆଭ୍ୟନ୍ତରୀଣ ମାମଲା । ଏ ନେଇ ରାଜନୀତି ହେବା ଉଚିତ ନୁହେଁ । ରାଜନୀତି ପାଇଁ କଂଗ୍ରେସ ପାଖରେ ପ୍ରସଙ୍ଗ ନଥିବାରୁ ଦଳ ଏହାକୁ ଇସ୍ୟୁ କରିଛି ।

ଉଲ୍ଲେଖ ଥାଉ କି, ଗତକାଲି ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି  ଅଭିଯୋଗ ଆଣିଥିଲେ । ନ୍ୟାୟପାଳିକା ଇତିହାସରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ ଡାକି ଚାରି ଜଣ ବିଚାରପତି ଅଭିଯୋଗ ଆଣିଛନ୍ତି । କହିଛନ୍ତି ବିଚାର ପାଇଁ ମାମଲା ଆବଂଟନ କ୍ଷେତ୍ରରେ ଅର୍ଥାତ କେଉଁ କେସ୍ କେଉଁ ବିଚାରପତିଙ୍କ ଖଣ୍ଡପୀଠ ବିଚାର କରିବ, ସେ ନେଇ ଅନିୟମିତତା ହେଉଛି । ଏନେଇ ଚାରି ଜଣ ବିଚାରପତି ପୂର୍ବରୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚିଠି ଲେଖିଥିଲେ ମଧ୍ୟ ସେ ଧ୍ୟାନ ଦେଇ ନଥିବା ଅଭିଯୋଗ କରିଥିଲେ ।