ସ୍କୁଲ ଭ୍ୟାନରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ୪ଜଣ କୁନି ଶିଶୁ, ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

2,136

କନକ ବ୍ୟୁରୋ : ସ୍କୁଲ ଭ୍ୟାନରେ ଲାଗିଲା ନିଆଁ । ଆଉ କାଳରୂପୀରେ ନିଆଁ ଜୀଅନ୍ତା ଜଳିଗଲେ ୪ ଜଣ କୁନି ଶିଶୁ । ଅଗ୍ନିକାଣ୍ଡର ଏହା ଏମିତି ଏକ ଲୋମଟାଙ୍କୁରା କାହାଣୀ, ଯାହା କେବେ ଆଉ କେଉଁଠୁ ନଘଟୁ । ପାଠ ପଢିବା ପାଇଁ ଘରୁ ଖାଇପିଇ ହସଖୁସିରେ ବାହାରିଯାଇଥିବା କୁନି ପିଲାମାନେ ଯେ, ଘରକୁ ଆଉ ଫେରିବେ ନାହିଁ, ତାହା ବାପା ମା’ଙ୍କୁ କିଏ ବୁଝାଇବ ।

ଏହି ଛାତିଥରା ଘଟଣା ଘଟିଛି ପଞ୍ଜାବର ସଙ୍ଗରୁର ଜିଲ୍ଲା ଲୋଙ୍ଗୋୱାଲ ସହରରେ । ସ୍କୁଲରୁ ଫେରୁଥିବା ସମୟରେ ଭ୍ୟାନରେ ଲାଗିଥିଲା କାଳରୂପୀ ନିଆଁ । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଜଳିଯାଇଛନ୍ତି ୪ ଜଣ ଶିଶୁ । ବସରେ ମୋଟ୍ ୧୨ ଜଣ ପିଲା ରହିଥିବା ବେଳେ ଏବେବି ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅନ୍ୟ ଶିଶୁମାନେ ।

ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍ କରି ଶୋକପ୍ରକାଶ କରିବା ସହ ମୃତ ଶିଶୁଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ତେବେ ଭ୍ୟାନରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଏହି ଘଟଣା ସାରା ଦେଶବାସୀଙ୍କୁ ମର୍ମାହତ କରିଛି ।