ରେଳ କର୍ମଚାରୀଙ୍କ ଉପରେ ଚଢିଗଲା ରେଳ ! ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ, ଅନୂକମ୍ପାମୂଳକ ସାହାଯ୍ୟ ଦାବିରେ ପରିବାର ଲୋକଙ୍କ ରେଳ ରୋକ

ଉତ୍ତରପ୍ରଦେଶରେ ଏକ ଦୁଃଖଦ ଘଟଣା ଘଟିଛି

183

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଏକ ଦୁଃଖଦ ଘଟଣା ଘଟିଛି। ରେଲେଓ୍ଵ ଟ୍ରାକ୍ ସଜାଡ଼ୁଥିବା ବେଳେ ଟ୍ରେନ ମାଡିଯିବାରୁ ୪ ଜଣ ଗ୍ୟାଙ୍ଗମ୍ୟାନଙ୍କର ଟ୍ରେନ୍ ଚକାତଳେ ଜୀବନ ଚାଲି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଉତ୍ତରପ୍ରଦେଶର ହର୍ଦୋଇ ଜିଲ୍ଲାର ସିଣ୍ଡିଲା ଓ ଉମରତଲାଇ ମଧ୍ୟରେ ରେଲେଓ୍ଵ ଟ୍ରାକ୍ ଖରାପ ଥିବାରୁ ଏହାର ମରାମତି ଗ୍ୟାଙ୍ଗମ୍ୟାନ କୌଶଲ, ରାଜେନ୍ଦ୍ର, ରାଜେଶ ଓ ରାମସ୍ୱରୂପ କରୁଥିଲେ। ଏହି ସମୟରେ କୋଲକାତାରୁ ଅମୃତସର ଯାଉଥିବା ଅକଲତକତ ଏକ୍ସପ୍ରେସ ସେହି ଟ୍ରାକରେ ଚାଲିଆସିଥିଲା। ଫଳରେ ଟ୍ରେନରେ କଟିଯାଇ ଏହି ଚାରିଜଣ ଗ୍ୟାଙ୍ଗମ୍ୟାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

 

ତେବେ ଏ ନେଇ ରେଳବାଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମରାମତି କାର୍ଯ୍ୟ ଚାଲିଥିବା ବେଳେ କାହିଁକି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା, ସେ ନେଇ ମୃତକଙ୍କ ପରିବାର ଅଭିଯୋଗ କରିବା ସହିତ ରେଲେଓ୍ଵ ଟ୍ରାକରେ ବସି ଧାରଣା ଦେଇଥିଲେ। ତେବେ ରେଳ ଲାଇନ ଉପରେ ଧାରଣ ଦେବାରୁ କିଛି ସମୟ ପାଇଁ ରେଳ ଚଳାଚଳ ବ୍ୟାହତ ହୋଇଥିଲା । ପରେ ଖବର ପାଇହର୍ଦୋଇ ଏସପି ଆଲୋକ ପ୍ରୀୟଦର୍ଶୀ ଓ ଅନ୍ୟ ରେଳବାଇ ଅଧିକାରୀମାନେ ପହଞ୍ଚି ମୃତ ଗ୍ୟାଙ୍ଗମ୍ୟାନଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଛନ୍ତି।

 

ତେବେ ଏହି ମରାମତି କାର୍ଯ୍ୟ ତଦାରଖ କରୁଥିବା ରେଳବାଇ ଟ୍ରାକ୍ ନୀରିକ୍ଷକ ଘଟଣାସ୍ଥଳରୁ ବହୁ ଦୂରରେ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଏପରିକି ମରାମତି ଚାଲିଥିଲେ ସୁଦ୍ଧା ଟ୍ରାକକୁ ବ୍ଲକ୍ କରାଯାଇ ନ ଥିଲା କିମ୍ବା ଲାଲ ପତାକା ଲଗାଯାଇ ନ ଥିଲା ବୋଲି ଜଣାଯାଇଛି। ତେବେ ଏ ନେଇ ଏଡିଆରଏମ ଶରଦ ଶ୍ରୀବାସ୍ତବ କହିଛନ୍ତି ଘଟଣାର ନିରପେକ୍ଷ ତଦନ୍ତ ହେବ ଏବଂ ପ୍ରତ୍ୟେକ ଗ୍ୟାଙ୍ଗମ୍ୟାନ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ।