ରାଷ୍ଟ୍ରପତି ଭବନରେ ଦିଆଗଲା ପଦ୍ମ ସମ୍ମାନ ! ଓଡିଶାର ସାଧୁ ମେହେର, ଜିତେନ୍ଦ୍ରୀୟ ହରିପାଲ, ମୁକୁଟ ମିଂଜ ଓ ଅରୁଣା ମହାନ୍ତି ସମ୍ମାନିତ

62

କନକ ବ୍ୟୁରୋ : ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ସମ୍ମାନ ଜନକ ପଦ୍ମ ପୁରସ୍କାର । ଓଡିଶାରୁ ୪ ଜଣଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ମିଳିଛି । କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରିପାଲଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ । ସମ୍ବଲପୁରୀ ଗୀତ ରଙ୍ଗବତୀ ଗାଇ ବେଶ ଲୋକପ୍ରିୟ ହୋଇପାରିଛନ୍ତି ଜୀତେନ୍ଦ୍ର ହରିପାଲ ।

ଏହାସହ ବିଶିଷ୍ଟ ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ସାଧୁ ମେହେର ମଧ୍ୟ ଗ୍ରହଣ କରିଛନ୍ତି ପଦ୍ମଶ୍ରୀ ପୁରସ୍କାର । ହିନ୍ଦୀ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ସାଧୁ ମେହେର ସମ୍ଭଲପୁରୀ ଫିଲ୍ମ ଭୁଖା ପାଇଁ ଚର୍ଚାକୁ ଆସିଥିଲେ । ଭୂବନ ସୋମ, ଅଙ୍କୁର ଏବଂ ମ୍ରିଗୟା ଭଳି ଫିଲ୍ମରେ ଅଭିନୟ କରି ଠିଆ କରିଛନ୍ତି ଗୋଟିଏ ପରେ ଗୋଟିଏ ମାଇଲଖୁଂଟ ।

ପଦ୍ମଶ୍ରୀ ତାଲିକାରେ ଥିବା ଆଉ ଜଣେ ଓଡିଆ ଡାକ୍ତର ମୁକୁଟ ମିଂଜ୍ ମଧ୍ୟ ରାଷ୍ଟ୍ରପତି ଭବନରେ ସମ୍ମାନିତ ହୋଇଛନ୍ତି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବୃକକ୍ ପ୍ରତିରୋପଣ କରି ଚର୍ଚାକୁ ଆସିଥିଲେ ସୁନ୍ଦରଗଡର ମୂଳ ବାସିନ୍ଦା ଡାକ୍ତର ମିଂଜ । ଅଙ୍ଗପ୍ରତିରୋପଣ କ୍ଷେତ୍ରରେ ତାଙ୍କର ରହିଛି ୩୭ ବର୍ଷର ଅଭିଜ୍ଞତା । ସମ୍ବଲପୁର ୟୁନିଭରସିଟିରୁ ଡାକ୍ତରୀ ଶିକ୍ଷା ଲାଭ ପରେ ଏମ୍ସ ଏବଂ ଚଣ୍ଡୀଗଡ ଫୋର୍ଟିସ ହସ୍ପିଟାଲ ଭଳି ସ୍ଥାନରେ କାମ କରିଛନ୍ତି ବରିଷ୍ଠ ଡାକ୍ତର ମୁକଟ ମିଂଜ ।

ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ମଧ୍ୟ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି । ଅରୁଣାଙ୍କ ନୃତ୍ୟରେ ରହିଛି ଆକର୍ଷଣୀୟ ଭାବ ଭଙ୍ଗୀ, ତାଳ ଓ ଅଭିନୟ । ପୂର୍ବରୁ ସଂଗୀତ ନାଟକ ଏକାଡେମୀ, ମାହାରୀ ସମ୍ମାନ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହୋଇଥିବା ଅରୁଣା ମହାନ୍ତି ପାଇଛନ୍ତି ପଦ୍ମଶ୍ରୀ ସମ୍ମାନ ।