ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ହିମାଳୟର ୪ ଶୃଙ୍ଗ ହେଲା ନାମିତ

68

କନକ ବ୍ୟୁରୋ : ଗଙ୍ଗୋତ୍ରୀ ଭାସମାନ ବରଫସ୍ତୁପ ନିକଟରେ ଥିବା ହିମାଳୟର ଚାରିଟି ଶୃଙ୍ଗକୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ନାମିତ କରାଯାଇଛି। ଗଙ୍ଗୋତ୍ରୀ ଭାସମାନ ବରଫସ୍ତୂପର ଡାହଣ ପାର୍ଶ୍ୱର ୬, ୫୫୭ ମିଟର, ୬, ୫୬୬ ମିଟର୍, ୬, ୧୬୦ ମିଟର ଏବଂ ୬, ୧୦୦ ମିଟର ଉଚ୍ଚରେ ଏହି ଶୃଙ୍ଗ ସବୁ ଅବସ୍ଥିତ ବୋଲି କର୍ଣ୍ଣେଲ୍ ଅମିତ ବିସ୍ତ ଶନିବାର ଦିନ କହିଛନ୍ତି। ନେହେରୁ ଇନଷ୍ଟିଚ୍ୟୁଟ ଅଫ୍ ମାଉଣ୍ଟେନିୟରିଙ୍ଗର ଅଧ୍ୟକ୍ଷ ଏବଂ ପର୍ବତାରୋଣ ଦଳର ନେତା ଶ୍ରୀ ବିସ୍ତ ନବ ନାମିତ ଶୃଙ୍ଗଗୁଡ଼ିକ ଆରୋହଣ କରିଥିଲେ।

 

ଆରୋହଣ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଦଳ ପ୍ରତ୍ୟେକ ଶୃଙ୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରକ୍ତବନ ଉପତ୍ୟକାର ସୁଦର୍ଶନ ଏବଂ ସୈଫି ଶୃଙ୍ଗ ନିକଟରେ ଠାବ କରାଯାଇଥିବା ଏହି ଶୃଙ୍ଗ ସବୁ ଅଟଳ ୧, ୨, ୩ ଓ ୪ ବୋଲି ନାମିତ କରାଯାଇଥିବା କଥା ବିସ୍ତ କହିଛନ୍ତି।  ଅକ୍ଟୋବର ୪ ତାରିଖ ଦିନ ଡେରାଡୁନ୍ ଠାରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍ ଏହି ଅଭିଯାତ୍ରୀ ଦଳକୁ ପତାକା ହଲାଇ ଛାଡ଼ିଥିଲେ। ମାଉଣ୍ଟେନିୟରିଙ୍ଗ୍ ଇନଷ୍ଟିଚ୍ୟୁଟ ଏବଂ ଟୁରିଜମ୍ ଡିପାର୍ଟମେଣ୍ଟ୍ ଏହି ଅଭିଯାନକୁ ମିଳିତ ଭାବେ ପରିଚାଳନା କରିଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ପରେ ଅନେକ ସ୍ଥାନର ନାମ ତାଙ୍କ ନାମରେ ନାମକରଣ କରାଯାଉଛି ।

ତେବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଅନେକ ସ୍ଥାନର ନାମକରଣ କରିବେ ବୋଲି ସୂଚନା ମିଳିଛି । କେବଳ ଯୋଗୀ ନୁହେଁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ତାଙ୍କ ନାମରେ ରାଜ୍ୟର ଅନେକ ସ୍ଥାନର ନାମକରଣ କରିପାରନ୍ତି ବୋଲି ସୂଚନା ମିଳିଛି ।