ବନ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ! ପଞ୍ଚସଖା ଗଢିଥିଲେ ବକୁଳ ବନ, ୧୦୯ ବର୍ଷ ପରେ ସରକାର ଗଢିବେ ଓଡିଆ ବିଶ୍ୱବିଦ୍ୟାଳୟ

120

କନକ ବ୍ୟୁରୋ : ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନରେ ପ୍ରତିଷ୍ଠା ହେଉଛି ଓଡିଆ ବିଶ୍ୱବିଦ୍ୟାଳୟ । ଆସନ୍ତାକାଲି ବିଶ୍ୱବିଦ୍ୟାଳୟର ଭିତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ଶେଷ ହୋଇଛି ପ୍ରସ୍ତୁତି । ୧୯୦୯ରେ ପଂଚସଖା ଗଢ଼ିଥିଲେ ବକୁଳ ବନ ବିଦ୍ୟାଳୟ, ଆଉ ୧୦୯ ବର୍ଷ ପରେ ସେହି ସ୍ଥାନରେ ହେବାକୁ ଯାଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ସହ ଉଚ୍ଚତର ଗବେଷଣା ପାଇଁ କାର୍ଯ୍ୟ କରିବ ।

ପଞ୍ଚସଖାଙ୍କ କର୍ମଭୂମି ଓ ପୌରାଣିକ କିମ୍ବଦନ୍ତୀରେ ଭରା ସତ୍ୟବାଦୀର ବକୁଳ ବନରେ ସାକାର ହେବାକୁ ଯାଉଛି କୋଟି କୋଟିି ଓଡ଼ିଆଙ୍କ ବହୁ ଦିନର ସ୍ୱପ୍ନ । ଯେଉଁଠି ବକୁଳ ବନ ବିଦ୍ୟାଳୟ ଗଢ଼ି ଆଦର୍ଶ ଶିକ୍ଷାର ମନ୍ଦିର କରିଥିଲେ ପଂଚସଖା, ସେଇଠି ହେବାକୁ ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟର ଭିତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ଶେଷ ହୋଇଛି ପ୍ରସ୍ତୁତି ।

ପଂଚସଖାଙ୍କ ସମାଧୀ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବକୁଳ ବନରେ ୩୦ ଜିଲ୍ଲାରୁ ଆସିଥିବା ବକୁଳ ଗଛ ରୋପଣ କରିବେ ନବୀନ । ପଂଚସଖା ପଡ଼ିଆରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବେ ହଜାର ହଜାର ଲୋକ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ଭଳି ଐତିହାସିକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଂଚଳ ବାସିନ୍ଦା । ଆଧୁନିକ ଓଡ଼ିଶାରେ ବକୁଳ ବନର ରହିଛି ଅନନ୍ୟ ଅବଦାନ । ବନ ବିଦ୍ୟାଳୟ ଗଢି ଓଡ଼ିଆଙ୍କ ମନରେ ଜାତୀୟତାର ଉଦ୍ରେକ କରିଥିଲେ ପଂଚସଖା । ଏହାକୁ ଏକ ମୁକ୍ତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଯୋଜନା କରିଥିଲେ ପଂଚସଖା । ୧୯୦୯ରେ ପଂଚସଖା ଗଢ଼ିଥିଲେ ବକୁଳ ବନ ବିଦ୍ୟାଳୟ, ଆଉ ୧୦୯ ବର୍ଷ ପରେ ସେହି ସ୍ଥାନରେ ହେବାକୁ ଯାଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ସହ ଉଚ୍ଚତର ଗବେଷଣା ପାଇଁ କାର୍ଯ୍ୟ କରିବ ।