ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍ ! ୯୪ ବର୍ଷରେ ପରଲୋକ । 

240

କନକ ବ୍ୟୁରୋ : ପରଲୋକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍ । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ଆମେରିକା ସମୟ ରାତି ୧୦ଟା ୧୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେବ ରକ୍ତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହୋଷ୍ଟନରେ ତାଙ୍କର ଦେହାନ୍ତ ହୋଇଯାଇଛି । ବୁଶଙ୍କ ପୁତ୍ର ତଥା ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁସ କହିଥିବା ବକ୍ତବ୍ୟକୁ ଟୁଇଟରରେ ପ୍ରକାଶ କରିଛନ୍ତି ବୁସ୍ ପରିବାରର ମୁଖପାତ୍ର ।

ସେ ଲେଖିଛନ୍ତି ଜେବ୍, ନିଲ୍, ମାର୍ଭିନ ଡୋରୋ ଏବଂ ମୁଁ ଦୁଃଖର ସହ ଘୋଷଣା କରୁଛୁ ୯୪ଟି ଉଲ୍ଲେଖନୀୟ ବର୍ଷ ପରେ ଆମ ପ୍ରିୟ ବାପାଙ୍କର ଦେହାନ୍ତ ହୋଇଯାଇଛି । ବୁଶ୍ ୧୯୮୯ ଜାନୁୟାରୀ ୨୦ରୁ ୧୯୯୩ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଆମେରିକାର ୪୧ତମ ରାଷ୍ଟ୍ରପତି ଥିଲେ । ତାଙ୍କ ପୁଅ ଜର୍ଜ ଡବ୍ଲୁ ବୁସ୍ ଆମେରିକାର ୪୩ତମ ରାଷ୍ଟ୍ରପତି ଥିଲେ । ସେ ରାଷ୍ଟ୍ରପତି ଥିବାବେଳେ ୧୯୯୧ରେ ଉପସାଗରୀୟ ଯୁଦ୍ଧରେ ସଫଳତା ପାଇଥିଲେ । ସେ ୧୯୯୧ରେ ଉପସାଗରୀୟ ଯୁଦ୍ଧରେ ବେଶ୍ ସଫଳତା ପାଇଥିଲେ । ଏଥିପାଇଁ ତାଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଥିଲା ।

ହେଲେ ଦେଶରେ ନୂଆ ଟିକସ ବ୍ୟବସ୍ଥା ପ୍ରଣୟନ କରିବାରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା । ଏଥିପାଇଁ ସେ ଦ୍ୱିତୀୟ ଥର ଆମେରିକା ଶାସନ ଦଖଲ କରିପାରିନଥିଲେ । ୧୯୨୪ ମସିହ ଜୁନ୍ ୧୨ରେ ଜନ୍ମ ଗ୍ରହଣ କରିଥିବା ବୁଶ୍ ୧୯୬୪ରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୧୯୮୦ରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼େଇ କରିଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ସେ ୧୯୮୧ରୁ ୧୯୮୯ ଯାଏ ଆମେରିକାର ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ଗତ ଅପ୍ରେଲ ମାସରେ ତାଙ୍କ ପତ୍ନୀ ବାରବରା ବୁଶଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।