ହାତ ଛାଡି ଶଙ୍ଖ ଧରିଲେ ଚନ୍ଦ୍ରଶେଖର ସାହୁ ! ବ୍ରହ୍ମପୁର ମିଶ୍ରଣ ପର୍ବରେ ବିଜେଡିରେ ମିଶିଲେ ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତଙ୍କ ସହ ହଜାର ହଜାର ସମର୍ଥକ

39

କନକ ବ୍ୟୁରୋ: ବଦଳିଗଲା ଗଂଜାମର ରାଜନୀତି । ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସର ଯେଉଁ ତୁଙ୍ଗ ନେତାମାନେ ଗଂଜାମ ଜିଲ୍ଲାରେ କଡ଼ା ଟକ୍କର ଦେଉଥିଲେ, ସେମାନେ ମିଶିଯାଇଛନ୍ତି ବିଜେଡିରେ । ହାତ ଛାଡି ଶଙ୍ଖ ଧରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ । ବ୍ରହ୍ମପୁରରେ ଅନୁଷ୍ଠିତ ବିଜେଡି ମିଶ୍ରଣ ପର୍ବରେ ଚନ୍ଦ୍ରଶେଖରଙ୍କ ସମେତ ଯୁବନେତା ବିକ୍ରମ ପଣ୍ଡା, ଭଗବାନ ଗନ୍ତାୟତ ଓ ତାଙ୍କର ଶହ ଶହ ସମର୍ଥକ ମିଶିଛନ୍ତି ବିଜେଡିରେ । ଫଳରେ ଗଂଜାମ ରାଜନୀତିର ଦୃଶ୍ୟପଟ ପୂରା ବଦଳି ଯାଇଛି । କଂଗ୍ରେସର ଏହି ତୁଙ୍ଗ ନେତାମାନେ ବିଜେଡିରେ ଯୋଗ ଦେବା ପରେ ପରବର୍ତନ ହୋଇଯାଇଛି ଜିଲ୍ଲାର ରାଜନୈତିକ ସମୀକରଣ ।

ଆଜି ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲା ରାଜନୀତି ପାଇଁ ଥିଲା ଏକ ବଡ଼ ଦିନ । ଯେଉଁ ନେତାଙ୍କ ପାଇଁ ଗଂଜାମରେ କଂଗ୍ରେସର ସ୍ଥିତି ବଜାୟ ରହିଥିଲା, ସେମାନେ ଯୋଗଦେଇଛନ୍ତି ବିଜେଡିରେ । ୪୦ ବର୍ଷ ଧରି କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ବ୍ରହ୍ମପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଦଳ ବଳ ସହ ବିଜେଡିରେ ମିଶିଛନ୍ତି । ବ୍ରହ୍ମପୁରରେ ଅନୁଷ୍ଠିତ ଏକ ବିଶାଳ ସମାବେଶରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖର ସାହୁଙ୍କ ସହ ଯୁବ ନେତା ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ବିଜେଡିରେ ।

ସେହିପରି କଂଗ୍ରେସର ଗୋଡଟଣା ନୀତି ଯୋଗୁ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ବିକ୍ରମ ପଣ୍ଡା । କିଛି ଦିନ ତଳେ ଗଞ୍ଜାମର ପ୍ରଭାବଶାଳୀ ନେତା ଚନ୍ଦ୍ରଶେଖର ସାହୁଙ୍କ ସହ ଯୁବନେତା ବିକ୍ରମ ପଣ୍ଡା, ଭଗବାନ ଗନ୍ତାୟତ ଏବଂ ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତେବେ ରାଜନୀତିରେ କେହି କାହାର ସ୍ଥାୟୀ ଶତ୍ରୁ ବା ମିତ୍ର ନୁହଁନ୍ତି ବୋଲି ଯେଉଁ ପ୍ରବାଦ ରହିଛି, ତାହା ପୁଣି ଥରେ ପ୍ରମାଣିତ ହୋଇଛି ।