ବିଜେଡିରେ ସାମିଲ ହେଲେ ଆଇପିଏସ ଅରୂପ ପଟ୍ଟନାୟକ ! ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଆରମ୍ଭ କରିବେ ରାଜନୈତିକ ଇନିଂସ ।

89

ଶଙ୍ଖ ଧରିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ । ବିଜେଡିରେ ଯୋଗଦେବା ନେଇ ସେ ସ୍ପଷ୍ଟ କରିଛନ୍ତି । ଦିନକୁ ଦିନ ଅନେକ ପ୍ରଭାବଶାଳୀ ଲୋକ ବିଜେଡିରେ ଯୋଗ ଦେଉଥିବା ବେଳେ ଅରୂପ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜି ଅପରାହ୍ନ ୫ଟାରେ ନବୀନ ନିବାସରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ୨୦୧୯ରେ ଟିକେଟ ମିଳିଲେ ନିର୍ବାଚନ ଲଢିବା ନେଇ ଅରୂପ ପଟ୍ଟନାୟକ କହିଛନ୍ତି ଯେ, ଏହି ବିଷୟରେ ସେ ଏବେ କିଛି ଭାବିନାହାନ୍ତି ।

୬୩ ବର୍ଷୀୟ ଅରୂପ ପଟ୍ଟନାୟକ ମହାରାଷ୍ଟ୍ର ଆଇପିଏସ କ୍ୟାଡରର ଜଣେ ଜଣାଶୁଣା ଅଫିସର ଥିଲେ । ମୁମ୍ବାଇର ପୋଲିସ କମିଶନର ଥିବାବେଳେ ଅରୂପ ଅନେକ ପ୍ରଂଶସନୀୟ କାମ କରିଥିଲେ । ମୁମ୍ବାଇର ପୋଲିସ କମିଶନର ହେବାରେ ସେ ଥିଲେ ପ୍ରଥମ ଓଡିଆ । ନିଜର ୩୬ ବର୍ଷର କ୍ୟାରିୟର ମଧ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଅରୂପଙ୍କୁ ୨୦୦୩ ମସିହାରେ ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ ମିଳିଥିଲା । ୨୦୧୧ରେ ତାଙ୍କୁ ମୁମ୍ବାଇ ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୫ରେ ସେ ଅବସର ନେଇଥିଲେ ।

ବିଜେଡିରେ ମିଶିବା ପ୍ରସଙ୍ଗରେ ଅରୂପ ପଟ୍ଟନାୟକ କହିଛନ୍ତି ଯେ, ସୁଯୋଗ ମିଳିଥିବାରୁ ଲୋକଙ୍କ ସହ ଅଧିକ ମିଶି ହେବ । ନୂଆ ଜୀବନ ନୂଆ ଅଧ୍ୟାୟ ଆରମ୍ଭ କରିବେ ବୋଲି କହିଛନ୍ତି ଏହି ପୂର୍ବତନ ଆଇପିଏସ ଅଧିକାରୀ ତଥା ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ।